ବେଜିଂ: ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଭାରତ ଓ ଚୀନ୍‌ ମଧ୍ୟରେ ସିଧାସଳଖ ବିମାନ ସେବା (India-China Direct Flight) ପୁଣି ଆରମ୍ଭ ହେବ। ଇଣ୍ଡିଗୋ (IndiGo) ଘୋଷଣା କରିଛି ଯେ ସେମାନେ ଅକ୍ଟୋବର ୨୬ରୁ କୋଲକାତା–ଗୁଆଙ୍ଗଝୋଉ ରୁଟ୍‌ରେ ବିମାନ ଚାଲୁ କରିବେ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ–ଗୁଆଙ୍ଗଝୋଉ ସେବା ମଧ୍ୟ ପୁନଃ ଆରମ୍ଭ ହେବ।

ଚୀନ୍‌ ମଧ୍ୟ ଘୋଷଣା କଲା ନୂଆ ରୁଟ୍

ଚାଇନା ଇଷ୍ଟର୍ଣ୍ଣ (China Eastern Airlines) ମଧ୍ୟ ଘୋଷଣା କରିଛି ଯେ ସେମାନେ ନଭେମ୍ବର ୯ ରୁ ସାଂଘାଇ–ଦିଲ୍ଲୀ ବିମାନ ସେବା ପୁନଃଚାଲୁ କରିବେ। ଏହା ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ କହିଛନ୍ତି — ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତିର ସକାରାତ୍ମକ ଚିହ୍ନ। ଏହା ଭାରତ ଓ ଚୀନର ୨୮୦ କୋଟି ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଆଦାନପ୍ରଦାନକୁ ଆରୋ ଶକ୍ତିଶାଳୀ କରିବ।

୫ ବର୍ଷ ଧରି ବନ୍ଦ ଥିଲା ବିମାନ ସେବା

ସୂଚନାଯୋଗ୍ୟ ଯେ ୨୦୨୦ରେ ଲାଦାଖର ଗାଲୱାନ ସଂଘର୍ଷ ପରେ ଭାରତ ଓ ଚୀନ୍‌ ମଧ୍ୟରେ ତଣାତଣି ବଢ଼ିଥିଲା ଓ ତାହା ପରେ ସିଧାସଳଖ ବିମାନ ସେବା ବନ୍ଦ ହୋଇଥିଲା। ବର୍ତ୍ତମାନ ଦୁଇ ଦେଶର ସମ୍ପର୍କରେ ଦୀର୍ଘ ବିରତି ପରେ ନୂଆ ଆରମ୍ଭ ହେବା ନେଇ ଦୁଇପକ୍ଷ ଆଶାବାଦୀ।