ଭୁବନେଶ୍ବର: ଆଗାମୀ ନଭେମ୍ବର ୨୮ ଠାରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ତାମିଲନାଡୁରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ କନିଷ୍ଠ ହକି ବିଶ୍ବକପ୍‌ ପୂର୍ବରୁ ଏହାର ଟ୍ରଫି ଗୁରୁବାର ଭୁବନେଶ୍ବରକୁ ପହଞ୍ଚିଛି। ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାୟକ ବିଶେଷ କାର୍ଯ୍ୟକ୍ରମରେ ଟ୍ରଫିକୁ ଅନାବରଣ କରିଛନ୍ତି।

ଅବସରରେ କ୍ରୀଡ଼ା ନିର୍ଦେଶକ ବିଜୟ ୟେଦୁଲା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଅଲିମ୍ପିଆନ୍‌ ରବି କୁମାର, ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ଅନୁରାଧା ବିଶ୍ୱାଳ, ରୋଶନ ମିଞ୍ଜ ସହ ଓଡ଼ିଶା ହକି ସଂଘ ଓ କ୍ରୀଡ଼ା ଏବଂ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଆସନ୍ତା ହକି ଇଣ୍ଡିଆ ଲିଗ୍‌ (ହିଲ୍‌) ପାଇଁ ହକି ଇଣ୍ଡିଆ ଗୁରୁବାର ଅଫିସିଆଲ୍‌ ପ୍ରମୋ ‘ବିଗ୍‌ ଇଜ୍‌ ବ୍ୟାକ୍‌’ ଉନ୍ମୋଚନ କରିଛି। ଏହା ଲିଗର ନୂତନ ଋତୁକୁ ଆହୁରି ଆକର୍ଷଣୀୟ କରିବା ଓ ପ୍ରଶଂସକଙ୍କ ସହଭାଗୀତା ବଢ଼ାଇବା ପାଇଁ ତିଆରି କରାଯାଇଛି।

୨୦୨୪ରେ ଲିଗ୍‌ ପୁନର୍ବାର ଆରମ୍ଭ ହେବା ପରେ ପ୍ରସାର ଭାରତୀ ଓ ସୋନି ସ୍ପୋର୍ଟସ୍‌ ନେଟୱାର୍କ ସହଯୋଗରେ ଦର୍ଶକ ସଂଖ୍ୟା ୪.୦୮ କୋଟିକୁ ପହଞ୍ଚିଥିଲା, ଯାହା ୨୦୧୭ ସଂସ୍କରଣ ଠାରୁ ୪୮% ଅଧିକ। ପୁରୁଷ ଫାଇନାଲ୍‌ ୩.୦୭ ମିଲିୟନ୍‌ ଓ ମହିଳା ମ୍ୟାଚ୍‌ ୨.୯୨ ମିଲିୟନ୍‌ ଦ୍ୱାରା ଦେଖାଯାଇଥିଲା। ସାରା ବିଶ୍ବରେ ୧୮ଟି ହକି ଖେଳୁଥିବା ଦେଶର ୫ ମିଲିୟନ୍‌ ଦର୍ଶକ ଟିଭି ଓ ଓଟିଟିରେ ‘ହିଲ୍‌’ ଦେଖିଥିଲେ, ଯେଉଁଠାରେ ସୋସିଆଲ୍‌ ମିଡିଆରେ ୧୦୦ କୋଟି ଭ୍ୟୁସ୍‌ ମିଳିଥିଲା।

ଲିଗ୍‌କୁ ଆହୁରି ଲୋକପ୍ରିୟ କରିବାପାଇଁ ୩୬୦ ଡିଗ୍ରି ବ୍ୟାପାରିକ ରଣନୀତି ଆପଣାଇ ହକି ଇଣ୍ଡିଆ ପ୍ରତ୍ୟେକ ଫ୍ରାଞ୍ଚାଇଜି ସହରରେ ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ କରିବ। ରେଡିଓ, ଟିଭି, ଓଟିଟି ପ୍ଲାଟଫର୍ମସ୍‌ ସହ ସାମାଜିକ ମାଧ୍ୟମରେ ମଧ୍ୟ ବିଶେଷ କ୍ୟାମ୍ପେନ୍‌ ଚାଲିବ ବୋଳି ପରିଚାଳନା କମିଟି ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି।

ଡିସେମ୍ବର ୨୮ ଠାରୁ ୨୦୨୬ ଜାନୁଆରି ୧୦ ପର୍ଯ୍ୟନ୍ତ ରାଞ୍ଚିରେ ମହିଳା ମ୍ୟାଚ୍‌ ହେବା ସହିତ ପୁରୁଷ ଲିଗ୍‌ ଜାନୁଆରି ୩ ଠାରୁ ୨୬ ପର୍ଯ୍ୟନ୍ତ ଚେନ୍ନାଇ, ରାଞ୍ଚି ଓ ଭୁବନେଶ୍ବରରେ ଆୟୋଜିତ ହେବ।