ଭୁବନେଶ୍ୱର: ସାରା ଓଡ଼ିଶାରେ ଶୀତ ପ୍ରବାହ ଜାରି ରହିଛି। ପାରଦ ଲଗାତାର ତଳକୁ ଖସୁଥିବା ବେଳେ ରାଜ୍ୟର ୧୦ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ ହୋଇଛି। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହାସହ ଦାରିଙ୍ଗବାଡ଼ି, ଫୁଲବାଣୀ, କୋରାପୁଟ, ସିମିଳିଗୁଡ଼ା ଭଳି ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି।
୧୦ ଡିଗ୍ରୀ ତଳେ ତାପମାତ୍ରା
ଘୂ.ଉଦୟଗିରିରେ ୪.୨ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ସିମିଳିଗୁଡ଼ାରେ ୬.୧ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ରାଉରକେଲାରେ ୮.୨ ଡିଗ୍ରୀ, ଚିପିଲିମାରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ ଓ ବୌଦ୍ଧ–କିରୋଇରେ ୯.୮ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟ ସହରଗୁଡ଼ିକରେ ପାରଦ ୧୦ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରହିଛି।
କୁହୁଡ଼ିର ସମ୍ଭାବନା
ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି। କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଥିବା ସୂଚନା ମିଳିଛି।
ଆଗାମୀ ୫ ଦିନ ଜାରି ରହିବ ଶୀତ
ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାଡ଼ ଅବ୍ୟାହତ ରହିବ। ୧୫ ଓ ୧୬ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଓ ସୁନ୍ଦରଗଡ଼ର ୧୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଉରକେଲାରେ ୯ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୧୦–୧୧ ଡିଗ୍ରୀ ମଧ୍ୟରେ ପାରଦ ରହିପାରେ।
ପାରଦ ଲଗାତାର ଖସୁଥିବାରୁ ଶୀତକାଳୀନ ପୋଷାକର ଚାହିଦା ମଧ୍ୟ ବଜାରରେ ବୃଦ୍ଧି ପାଇବାରେ ଲାଗିଛି।





