ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)ର ନାମ ପରିବର୍ତ୍ତନ ଓ ନୂତନ G-RAM-G ବିଲ୍ ଆଣିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ନେଇ ରାଜନୀତି ତୀବ୍ର ହୋଇଉଠିଛି। କଂଗ୍ରେସ ଦଳ ଏହାକୁ ଗାନ୍ଧୀଙ୍କ ଅପମାନ ବୋଲି କହି ତୀବ୍ର ବିରୋଧ କରୁଥିବା ବେଳେ, ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ ମତାମତ ଏହି ବିବାଦକୁ ଏକ ନୂଆ ଦିଗ ଦେଇଛି।
ସୂଚନା ଅନୁସାରେ, କେନ୍ଦ୍ର ସରକାର MGNREGA ବଦଳରେ ‘ବିକଶିତ ଭାରତ – ନିଯୁକ୍ତି ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ)’, ଅର୍ଥାତ୍ G-RAM-G ବିଲ୍ ୨୦୨୫ ଆଣିବା ପାଇଁ ଲୋକସଭାରେ ପ୍ରସ୍ତାବ ରଖିପାରନ୍ତି। ଏହି ବିଲ୍ର କପି ଲୋକସଭା ସଦସ୍ୟମାନଙ୍କୁ ବଣ୍ଟନ ମଧ୍ୟ କରାଯାଇଛି।
ଏହି ପ୍ରସଙ୍ଗରେ ଶଶୀ ଥରୁର କହିଛନ୍ତି ଯେ, ‘ରାମ’ କିମ୍ବା ‘ରାମରାଜ୍ୟ’ ଶବ୍ଦକୁ ଏଡାଇବା ଗାନ୍ଧୀବାଦ ନୁହେଁ। ତାଙ୍କ କଥାରେ, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ‘ଗ୍ରାମ ସ୍ୱରାଜ’ ଓ ‘ରାମରାଜ୍ୟ’ କେବେ ବି ପ୍ରତିବିରୋଧୀ ଧାରଣା ନଥିଲା; ବରଂ ଏହି ଦୁଇଟି ଗାନ୍ଧୀଜୀଙ୍କ ସ୍ୱପ୍ନର ମୂଳ ସ୍ତମ୍ଭ ଥିଲା।
ଥରୁର ଏକ୍ସ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ଲେଖିଛନ୍ତି ଯେ, MGNREGA ର ନାମ ପରିବର୍ତ୍ତନକୁ ନେଇ ହେଉଥିବା ବିବାଦ ଦୁଃଖଦ। ଗାନ୍ଧୀଙ୍କ ଦୃଷ୍ଟିରେ ରାମରାଜ୍ୟ ଏକ ନୀତିମୂଳକ ଓ ନ୍ୟାୟସମ୍ମତ ସମାଜର ପ୍ରତୀକ ଥିଲା, ଯାହା ଗ୍ରାମ ସ୍ୱରାଜର ଧାରଣା ସହ ସମ୍ପୂର୍ଣ୍ଣ ଭାବେ ସମଞ୍ଜସ।
ତାଙ୍କ ଏହି ବିବୃତ୍ତି କେବଳ କେନ୍ଦ୍ର ସରକାରଙ୍କୁ ନୁହେଁ, ପରୋକ୍ଷ ଭାବେ କଂଗ୍ରେସ ଦଳକୁ ମଧ୍ୟ ଏକ ସନ୍ଦେଶ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।





