ନୂଆଦିଲ୍ଲୀ:

ରୁଷରୁ ତେଲ କ୍ରୟକୁ ନେଇ ଆମେରିକା ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ଚାପ ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ କୌଟନୀତିକ ପଦକ୍ଷେପ ନେଇଛି। ଓମାନ ସହ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ୱାକ୍ଷର କରିଛି, ଯାହା ଭାରତୀୟ ରପ୍ତାନୀକୁ ନୂଆ ବଜାର ଖୋଲିଦେବ ବୋଲି ଆଶା କରାଯାଉଛି।

ଏହି ଚୁକ୍ତିନାମା ଅନୁଯାୟୀ, ଓମାନ ଭାରତର ପ୍ରାୟ ୯୯ ପ୍ରତିଶତ ଉତ୍ପାଦ ଉପରେ କୌଣସି ଶୁଳ୍କ ଆରୋପ କରିବ ନାହିଁ। ଏହା ଫଳରେ ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଓମାନକୁ ରପ୍ତାନୀ ହେବା ସହଜ ହେବ।

ମୁକ୍ତ ବାଣିଜ୍ୟ ଚୁକ୍ତିର ଲାଭ

ଭାରତ-ଓମାନ FTA ଦ୍ୱାରା ବସ୍ତ୍ର, ଚମଡା, ଜୋତା, ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ଉତ୍ପାଦ, ପ୍ଲାଷ୍ଟିକ୍, ଫର୍ଣ୍ଣିଚର, କୃଷି ଉତ୍ପାଦ, ଔଷଧ, ଚିକିତ୍ସା ଉପକରଣ ଓ ଅଟୋମୋବାଇଲ୍ ଭଳି ଶ୍ରମ-ନିର୍ଭର କ୍ଷେତ୍ରଗୁଡ଼ିକୁ ବୃହତ୍ ଲାଭ ମିଳିବ। ଏହା ନୂଆ ନିଯୁକ୍ତି ସୃଷ୍ଟି କରିବା ସହ କାରିଗର, ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଓ MSME ମାନଙ୍କୁ ମଜବୁତ କରିବ ବୋଲି ଆଶା।

ଉଲ୍ଲେଖଯୋଗ୍ୟ ଯେ, ଗତ ଛଅ ମାସ ମଧ୍ୟରେ ଏହା ଭାରତର ଦ୍ୱିତୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ପଛଲା କିଛି ବର୍ଷ ମଧ୍ୟରେ ଭାରତ ଏକାଧିକ FTA ସ୍ୱାକ୍ଷର କରି ଚାଷୀ, ବ୍ୟବସାୟୀ ଓ ରପ୍ତାନିକାରୀଙ୍କୁ ଲାଭ ଦେଇଆସୁଛି।

ଭାରତ-ଓମାନ ବାଣିଜ୍ୟ ସମ୍ପର୍କ

ଓମାନରୁ ଭାରତ ପ୍ରମୁଖ ଭାବେ ପେଟ୍ରୋଲିୟମ୍ ଉତ୍ପାଦ ଓ ୟୁରିଆ ଆମଦାନୀ କରେ, ଯାହା ମୋଟ ଆମଦାନୀର ୭୦ ପ୍ରତିଶତରୁ ଅଧିକ। ଏହାଛଡ଼ା ପେଟ୍ କୋକ୍, ଜିପସମ୍, ରାସାୟନିକ ପଦାର୍ଥ, ଲୁହା, ଇସ୍ପାତ ଓ ଅପରିଶୋଧିତ ଆଲୁମିନିୟମ୍ ମଧ୍ୟ ଆମଦାନୀ ହୁଏ।

ଅନ୍ୟପଟେ, ଭାରତ ଓମାନକୁ ଖଣିଜ ଇନ୍ଧନ, ରାସାୟନିକ ପଦାର୍ଥ, ମୂଲ୍ୟବାନ ଧାତୁ, ଲୁହା-ଇସ୍ପାତ, ଶସ୍ୟ, ଜାହାଜ, ବୈଦ୍ୟୁତିକ ଯନ୍ତ୍ରପାତି, ଚା, କଫି, ମସଲା, ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ରପ୍ତାନୀ କରୁଛି।

ବିଶ୍ୱ ବଜାରକୁ ନୂଆ ଦ୍ୱାର

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଏହି FTA ଦ୍ୱାରା ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅଟୋମୋବାଇଲ୍, ଅଳଙ୍କାର, କୃଷି ରସାୟନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ପାଇଁ ବିଶ୍ୱର ବୃହତ୍ ବଜାର ଖୋଲିବ।