ଢାକା: ଛାତ୍ରନେତା ଉସମାନ ହାଦିଙ୍କ ଅନ୍ତିମ ସଂସ୍କାର ଢାକାରେ ଭାରୀ ଜନସମାଗମ ଓ ଉତ୍ତେଜନାମୟ ପରିବେଶ ମଧ୍ୟରେ ସଂପନ୍ନ ହୋଇଛି। ହଜାର ହଜାର ସମର୍ଥକ ଜାତୀୟ ପତାକା ଧାରଣ କରି ଅନ୍ତିମ ସଂସ୍କାର ସ୍ଥଳରେ ଉପସ୍ଥିତ ରହି ଉସମାନଙ୍କ ପାଇଁ ନ୍ୟାୟ ଦାବିରେ ନାରାବାଜି କରିଥିଲେ। “ଉସମାନଙ୍କ ବଳିଦାନ ବ୍ୟର୍ଥ ଯିବନି” ଓ “ଦୋଷୀଙ୍କୁ ଶାସ୍ତି ଦିଆଯାଉ”—ଏମିତି ନାରାରେ ସମଗ୍ର ପରିବେଶ ଗଞ୍ଜିଉଠିଥିଲା।

ଉସମାନଙ୍କ ମୃତ୍ୟୁ ପରେ ଢାକା ସହ ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ସ୍ମୃତିରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ଅନ୍ତିମ ସଂସ୍କାର ସମୟରେ କୌଣସି ଅପ୍ରିୟ ଘଟଣା ଟାଳିବାକୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ସମଗ୍ର ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା।

ହତ୍ୟା ପରେ ଉଗ୍ର ହେଲା ପରିସ୍ଥିତି

ସୂଚନାଯୋଗ୍ୟ, ଡିସେମ୍ବର ୧୨ ତାରିଖରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ୩୨ ବର୍ଷୀୟ ଉସମାନ ହାଦିଙ୍କୁ ଗୁଳି କରିଥିଲେ। ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଚିକିତ୍ସା ପାଇଁ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ଦେଶବ୍ୟାପୀ ଆକ୍ରୋଶ ଭାବ ପ୍ରକାଶ ପାଇଥିଲା।

ଢାକା ସହ ବାଂଲାଦେଶର ବିଭିନ୍ନ ସହରରେ ଉସମାନଙ୍କ ସମର୍ଥକମାନେ ପ୍ରତିବାଦ କରିଥିବା ବେଳେ କେତେକ ସ୍ଥାନରେ ହିଂସାତ୍ମକ ଘଟଣା ମଧ୍ୟ ଘଟିଥିଲା। ଖବର ଅନୁଯାୟୀ, ପ୍ରତିବାଦକାରୀମାନେ ୩ଟି ଖବରକାଗଜ ଅଫିସକୁ ଅଗ୍ନିସଂଯୋଗ କରିଥିଲେ। ଉସମାନଙ୍କ ମୃତ୍ୟୁ ପରଠାରୁ ପରିସ୍ଥିତି ନିୟନ୍ତ୍ରଣରେ ଆଣିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା।

ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ଗତକାଲି ଉସମାନ ହାଦିଙ୍କ ମୃତଦେହ ଢାକା ବିମାନବନ୍ଦରରେ ପହଞ୍ଚିଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୃତଦେହ ଗ୍ରହଣ କରାଯାଇଥିବା ବେଳେ, ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।