ରାଉରକେଲା:
ବ୍ରାହ୍ମଣୀ ନଦୀର ତରକେରା ଡ୍ୟାମ୍ ଧୀରେଧୀରେ ପିକ୍ନିକ୍ ସ୍ଥଳୀ ନୁହେଁ, ବରଂ ମୃତ୍ୟୁ କ୍ଷେତ୍ରରେ ପରିଣତ ହେଉଛି। ଡେଲିମାର୍କେଟ ଅଞ୍ଚଳର ରାଜକୁମାର ମହାତୋ, ଜରିବ ଓ ଅନ୍ୟ ଜଣେ ସାଙ୍ଗ ଘୁରିବାକୁ ଆସିଥିବା ବେଳେ ଏହି ଡ୍ୟାମ୍ରେ ଦୁର୍ଘଟଣା ଘଟିଛି। ପାଣିରେ ଗାଧୋଉଥିବା ସମୟରେ ହଠାତ୍ ପାଣିସ୍ରୋତରେ ଭାସିଯାଇ ରାଜକୁମାର ଓ ଜରିବଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ସାଙ୍ଗ ପାଣି ବାହାରେ ରହି ଭିଡିଓ ରିଲ୍ ବନାଉଥିବା ସୂଚନା ମିଳିଛି।
ଏହା ପ୍ରଥମ ଘଟଣା ନୁହେଁ। ଗତ ମେ’ ଓ ନଭେମ୍ବରରେ ମଧ୍ୟ ଦୁଇ ଛାତ୍ରଙ୍କ ଜୀବନ ଏଠାରେ ଯାଇଥିଲା। ସ୍ଥାନୀୟ ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ତରକେରା ଡ୍ୟାମ୍ରେ ୪ରୁ ୬ ଜଣ ପର୍ଯ୍ୟଟକ ଜଳମୃତ୍ୟୁର ଶିକାର ହେଉଛନ୍ତି। ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ଉଠୁଛି। କେବଳ କିଛି ସତର୍କ ସୂଚନା ଲେଖି ଦାୟିତ୍ୱ ସାରିଦିଆଯାଇଛି, କିନ୍ତୁ ପିକ୍ନିକ୍ ଋତୁରେ ନ ଅଗ୍ନିଶମ କର୍ମଚାରୀ, ନ ପୁଲିସ ମୋତାୟେନ ଦେଖିବାକୁ ମିଳୁଛି।
ଅସୁରକ୍ଷିତ ଭାବେ ବଣଭୋଜନ, ବଢ଼ୁଛି ବିପଦ
ଜିଲ୍ଲା ଓ ଜିଲ୍ଲା ବାହାରରୁ ଆସୁଥିବା ପର୍ଯ୍ୟଟକମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ଯେଉଁଠି ପାରୁଛନ୍ତି ସେଉଁଠି ବଣଭୋଜନ କରୁଛନ୍ତି। କିଛି ପର୍ଯ୍ୟଟକ ନଦୀ ମଝିରେ ଥିବା ପଥର ଉପରେ ବସି ଭୋଜି କରିବା ସହ ସେଲ୍ଫି ଓ ରିଲ୍ସ ତିଆରି କରୁଛନ୍ତି। ଦେଖାଶୁଣା ପାଇଁ କେହି ନଥିବାରୁ ଦୈନନ୍ଦିନ ଏଭଳି ଅସୁରକ୍ଷିତ କାର୍ଯ୍ୟକଳାପ ଚାଲିଛି।
ନିୟମ ମାନୁନାହାନ୍ତି ପର୍ଯ୍ୟଟକ
ବିଶେଷକରି ବୁଧବାର, ଶୁକ୍ରବାର ଓ ରବିବାର ଡ୍ୟାମ୍ ନିକଟରେ ଭିଡ଼ ଚରମରେ ପହଞ୍ଚୁଛି। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାରହଜାର ଲୋକ ନାଚଗୀତ, ବଣଭୋଜନ ଓ ଗାଧୋଇବାରେ ମସଗୁଲ ରହୁଛନ୍ତି। ଅନେକ ବାପାମା’ ଛୋଟ ପିଲାଙ୍କୁ ସହ ନେଇ ନଦୀ ପାଣିରେ ପଶୁଛନ୍ତି, ଯାହା ବିପଦକୁ ଆଉ ବଢ଼ାଉଛି। ବାରଣ କରାଯାଉଥିଲେ ମଧ୍ୟ ପର୍ଯ୍ୟଟକମାନେ ଶୁଣୁନାହାନ୍ତି।
ରବିବାର ଦିନ ମଧ୍ୟ ଡ୍ୟାମ୍ ଅଞ୍ଚଳରେ ପୁଲିସ କିମ୍ବା ଅଗ୍ନିଶମ ବିଭାଗର କୌଣସି କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ପୁଣିଥରେ ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ସତର୍କ ହେବାକୁ ସାଧାରଣ ମହଳରୁ ଦାବି ଜୋର ଧରିଛି।
ଅନ୍ୟ ସ୍ଥଳୀରେ ମଧ୍ୟ କଡା ନଜର ଦାବି
କେବଳ ତରକେରା ଡ୍ୟାମ୍ ନୁହେଁ, ମନ୍ଦିରା, କାଂସବାହାଲ, ପିତାମହଲ, ବାଦଲଗିରି ଜଳପ୍ରପାତ ଓ ତେତେରକେଲା ନଦୀଘାଟ ଭଳି ସ୍ଥାନଗୁଡ଼ିକରେ ମଧ୍ୟ ପିକ୍ନିକ୍ ଋତୁ (ଡିସେମ୍ବର–ଜାନୁଆରି) ସମୟରେ କଡା ପାଟ୍ରୋଲିଂ ଓ ସଚେତନତା ଅଭିଯାନ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।





