ନୂଆଦିଲ୍ଲୀ, ୨୯ ଡିସେମ୍ବର: ଆରାବଳି ପାହାଡ଼ ଏବଂ ପର୍ବତମାଳାର ପରିଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ସୋମବାର ତାଙ୍କ ପୂର୍ବ ଆଦେଶ ଉପରେ ସ୍ଥଗିତି ଲଗାଇଛନ୍ତି। ଏହା ସହିତ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ ନୋଟିସ ଜାରି କରାଯାଇଛି।

ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆରାବଳି ଅଞ୍ଚଳର ୫୦୦ ମିଟର ବଫର୍ ଜୋନ୍‌ରେ ନିୟନ୍ତ୍ରିତ ଖଣିକାର୍ଯ୍ୟକୁ ଅନୁମତି ଦିଆଯିବ କି ନାହିଁ, ସେଥିପାଇଁ ଗଭୀର ଆଲୋଚନା ଆବଶ୍ୟକ। ଯଦି ଏପରି ଅନୁମତି ଦିଆଯାଏ, ତେବେ ପରିବେଶୀୟ ସନ୍ତୁଳନ ଓ ନିରନ୍ତରତା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ସଠିକ୍ ଓ ବୈଜ୍ଞାନିକ ମାନଦଣ୍ଡ ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଆରାବଳି ପାହାଡ଼ର ସଠିକ୍ ପରିଭାଷା ନିର୍ଦ୍ଧାରଣକୁ ନେଇ ସୁପ୍ରିମକୋର୍ଟ ସ୍ୱତଃପ୍ରେରିତ ମାମଲା ଗ୍ରହଣ କରିଥିଲେ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ଅଗଷ୍ଟିନ୍ ଜର୍ଜ ମାସିହ ଏହି ଖଣ୍ଡପୀଠରେ ସମିଲ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ଡିସେମ୍ବରରେ ସୁପ୍ରିମକୋର୍ଟ ଆରାବଳି ପାହାଡ଼ ଓ ପର୍ବତମାଳା ପାଇଁ ଏକ ସମାନ ଓ ବୈଜ୍ଞାନିକ ପରିଭାଷାକୁ ଅନୁମୋଦନ କରିଥିଲେ। ବିଶେଷଜ୍ଞ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟର ଆରାବଳି ଅଞ୍ଚଳରେ ନୂତନ ଖଣି ଲିଜ୍ ପ୍ରଦାନ ଉପରେ ମଧ୍ୟ ରୋକ ଲଗାଯାଇଥିଲା।

ଶୁଣାଣି ସମୟରେ ସିଜେଆଇ ଏହା ମଧ୍ୟ କହିଥିଲେ ଯେ, ମୋଟ ୧୨,୦୮୧ଟି ପାହାଡ଼ ମଧ୍ୟରୁ ୧,୦୪୮ଟି ପାହାଡ଼ ୧୦୦ ମିଟର ଉଚ୍ଚତା ମାନଦଣ୍ଡ ପୂରଣ କରୁଛି ବୋଲି ଯେ ତଥ୍ୟ ଦିଆଯାଇଛି, ତାହା ବୈଜ୍ଞାନିକ ଓ ଭୂତାତ୍ତ୍ୱିକ ଭାବେ ସଠିକ୍ କି ନୁହେଁ, ସେଥିପାଇଁ ଅଧିକ ତଦନ୍ତ ଆବଶ୍ୟକ। ଏହି ମାମଲାରେ ଭୂତାତ୍ତ୍ୱିକ ସର୍ଭେ ଦରକାର କି ନାହିଁ, ତାହା ମଧ୍ୟ ଆଗାମୀ ଶୁଣାଣିରେ ନିର୍ଣ୍ଣୟ କରାଯିବ।