ଭୁବନେଶ୍ୱର: ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବାବେଳେ, ସରକାରୀ କାର୍ଯ୍ୟଶୃଙ୍ଖଳା ଓ ଶାସନୀୟ ଶିସ୍ଟାଚାର ରକ୍ଷା ପାଇଁ ଏକ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଜାନୁଆରି ୧ ତାରିଖ ଏକ କାର୍ଯ୍ୟଦିବସ ହୋଇଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ସହ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ସାଧାରଣ କାର୍ଯ୍ୟଦିବସ ଭଳି କାମ କରିବ।

CMO ପକ୍ଷରୁ ଜାରି ବିବୃତିରେ ସ୍ପଷ୍ଟ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟାଳୟକୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ କେହି ବ୍ୟକ୍ତିଗତ ଭାବେ ଆସିବେ ନାହିଁ। ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଳନ, କୌଣସି ପ୍ରକାର କାର୍ଯ୍ୟକ୍ରମ, ବୈଠକ କିମ୍ବା ପାର୍ଟି ଆୟୋଜନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ସମସ୍ତ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟଦିବସ ରହୁଥିବାରୁ ତାଙ୍କ କାର୍ଯ୍ୟାଳୟ ସାଧାରଣ ଦିନ ଭଳି କାମ କରିବ ଓ ନିୟମିତ ସରକାରୀ କାର୍ଯ୍ୟ ସମ୍ପାଦନ ହେବ। ତେଣୁ, ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା ପାଇଁ କେହି CMOକୁ ଆସିବା ଉଚିତ୍ ନୁହେଁ ବୋଲି ସେ ଅନୁରୋଧ କରିଛନ୍ତି।

ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା ବିନିମୟ କାର୍ଯ୍ୟକ୍ରମରେ ସାମିଲ ନ ହୋଇ, ସରକାରୀ କାମକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରୀ ବାସଭବନକୁ ଉପହାର ଓ ପୁଷ୍ପଗୁଚ୍ଛ ମନା

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାରୀ ବାସଭବନକୁ ଆସୁଥିବା କେହି ମଧ୍ୟ ଉପହାର କିମ୍ବା ପୁଷ୍ପଗୁଚ୍ଛ ନେଇ ଆସିବେ ନାହିଁ। ସେ କହିଛନ୍ତି, ଜନସାଧାରଣଙ୍କ ସଦିଚ୍ଛା ଓ ଆଶୀର୍ବାଦ ହିଁ ତାଙ୍କ ପାଇଁ ସର୍ବାଧିକ ମୂଲ୍ୟବାନ। ଶେଷରେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।