କିଭ୍: ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଡ୍ରୋନ୍ ଆକ୍ରମଣରେ ଅତି କମରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶାନ୍ତି ଆଲୋଚନା ସକାରାତ୍ମକ ଦିଗରେ ଆଗୁଆଁ ବଢ଼ୁଥିବା ବୋଲି କୂଟନୀତିଜ୍ଞମାନେ କହୁଥିବା ବେଳେ, ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ସେନା ଉତ୍ତେଜନା ଅବ୍ୟାହତ ରହିଛି।
ମସ୍କୋ ଦ୍ୱାରା ନିୟୁକ୍ତ ଖେର୍ସନ ଅଞ୍ଚଳର ନେତା ଭ୍ଲାଡିମିର ସାଲ୍ଡୋଙ୍କ କହିବା ଅନୁସାରେ, କୃଷ୍ଣ ସାଗର ଉପକୂଳରେ ଅବସ୍ଥିତ ଖୋର୍ଲି ରିସର୍ଟ ସହରର ଏକ କାଫେ ଓ ହୋଟେଲ ଉପରେ ୩ଟି ଡ୍ରୋନ୍ ମାଡ଼ ହୋଇଥିଲା। ଏହି ଆକ୍ରମଣରେ ଅଧିକ କ୍ଷତି ଘଟିଥିବା ଦାବି କରାଯାଇଛି। ତେବେ ଏହି ଘଟଣା ସମ୍ପର୍କରେ ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
ଏହି ମଧ୍ୟରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣ ସହ ସମ୍ପୃକ୍ତ ଗୋଟିଏ ଡ୍ରୋନ୍ ଖସୁଥିବା ଭିଡିଓ ଜାରି କରିଛି। ତିନି ଦିନ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନ୍ ଆକ୍ରମଣ କରିଥିବା ନେଇ ମସ୍କୋ ଅଭିଯୋଗ କରିଥିଲା, ଯାହାକୁ କିଭ୍ ସ୍ପଷ୍ଟ ଭାବେ ଖଣ୍ଡନ କରିଛି।
ନୂଆବର୍ଷ ଅବସରରେ ଦିଆଯାଇଥିବା ଭାଷଣରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି ଯେ, ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମାର ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି। ତେବେ ଅବଶିଷ୍ଟ ୧୦ ପ୍ରତିଶତ ଅଂଶରେ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ସ୍ଥଳ ଓ ସୁରକ୍ଷା ସମ୍ପର୍କିତ ପ୍ରଶ୍ନ ରହିଥିବା କଥା ସେ କହି, ଏହା ଶାନ୍ତି ସହିତ ସମଗ୍ର ୟୁକ୍ରେନ୍ ଓ ୟୁରୋପର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସତର୍କ କରାଇଛନ୍ତି।





