ପୁରୀ: ପୁଷ୍ୟା ନକ୍ଷତ୍ର ଯୋଗରେ ଶ୍ରୀନଅରରେ ପାରମ୍ପରିକ ଓ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ପୁଷ୍ୟାଭିଷେକ ଆଡମ୍ବର ସହ ସମ୍ପନ୍ନ ହୋଇଛି। ବିଜେ କାହାଳୀ, ତେଲିଙ୍ଗି ବାଜା ଓ ଝାଞ୍ଜର ନାଦରେ ଶ୍ରୀନଅର ପ୍ରକମ୍ପିତ ହୋଇଉଠିଥିଲା।

ଏହି ଅବସରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନୀ କଳସୀ ପୂଜା ଏବଂ ରାମାଭିଷେକ ପଟି ପୂଜା ଅନୁଷ୍ଠିତ ହୋଇଥିଲା। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଗଜପତି ମହାରାଜ ଓ ମହାରାଣୀଙ୍କ ବନ୍ଦାପନା ପରେ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା।

ଅଭିଷେକ ପରେ ଗଜପତି ମହାରାଜ ଗାଦିକୁ ବିଜେ କରିଥିଲେ। ଏହାପରେ ଷୋଳ ଶାସନର ବ୍ରାହ୍ମଣ ଓ ପଣ୍ଡିତମାନେ ନଡ଼ିଆ ଓ ପଇତା ପ୍ରଦାନ କରି ଗଜପତିଙ୍କୁ ଆଶୀର୍ବାଦ ଦେଇଥିଲେ।

ପାରମ୍ପରିକ ଏହି ପର୍ବରେ ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳମୟ ହେଉ ଏବଂ ସମଗ୍ର ଜଗତର କଲ୍ୟାଣ ସାଧିତ ହେଉ ବୋଲି ବ୍ରାହ୍ମଣମାନେ ପ୍ରାର୍ଥନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।