ମୁମ୍ବାଇ: ଶାହିଦ କପୁରଙ୍କ ଗତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦେବା’ ବକ୍ସ ଅଫିସରେ ଆଶାଅନୁଯାୟୀ ସଫଳତା ପାଇନଥିଲା। ତେବେ ଏବେ ଅଭିନେତା ତାଙ୍କ ଆଗାମୀ ଫିଲ୍ମ ‘ଓ ରୋମିଓ’ ସହିତ ପୁଣିଥରେ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ। ଫିଲ୍ମର ପୋଷ୍ଟର ପରେ ଏବେ ନିର୍ମାତାମାନେ ଏହାର ଟିଜର ରିଲିଜ୍ କରିଛନ୍ତି, ଯାହା ମୁକ୍ତି ପାଉଥିବା ସହିତ ହିଁ ଚର୍ଚ୍ଚାରେ ଆସିଛି।

ଆଜି ରିଲିଜ୍ ହୋଇଥିବା ‘ଓ ରୋମିଓ’ର ଏହି ଏକ ମିନିଟ୍ ୩୫ ସେକେଣ୍ଡର ଟିଜରଟି ଶାହିଦ କପୁରଙ୍କ ଏକ ଭୟଙ୍କର ଓ ଆକ୍ସନ୍-ଭରପୂର ଅବତାରକୁ ଦେଖାଇଛି। ଟିଜରରେ ଶାହିଦଙ୍କ ରକ୍ତରଞ୍ଜିତ ଲୁକ୍, ଶରୀର ଭରି ଟାଟୁ, ଗୁଣ୍ଡାମାନଙ୍କ ସହ ମାରପିଟ୍ ଓ ଗୁଳିଚାଳନା ଦୃଶ୍ୟ ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଦେଇଛି।

ଏହି ଫିଲ୍ମଟି ଏକତରଫା ପ୍ରେମର ପୃଷ୍ଠଭୂମିରେ ଗଢ଼ିଉଠିଥିବା ଏକ ତୀବ୍ର ଭାବପ୍ରବଣ ଓ ଅଶାନ୍ତ କାହାଣୀକୁ ଉପସ୍ଥାପନ କରୁଛି ବୋଲି ଟିଜରରୁ ସୂଚନା ମିଳିଛି। ପ୍ରତ୍ୟାଖ୍ୟାତ ପ୍ରେମର ଯନ୍ତ୍ରଣା, ଆକ୍ରୋଶ ଓ ପ୍ରତିଶୋଧ ଏହାର ମୁଖ୍ୟ ଆକର୍ଷଣ ହେବ ବୋଲି ଅନୁମାନ କରାଯାଉଛି।

ଟିଜରରେ ଶାହିଦ କପୁରଙ୍କ ସହ ତୃପ୍ତି ଡିମରି, ନାନା ପାଟେକର, ଅଭିନାଶ ତିୱାରୀ, ଦିଶା ପଟାନି, ଅରୁଣା ଇରାନୀ, ବିକ୍ରାନ୍ତ ମାସେ, ତମନ୍ନା ଭାଟିଆ ଓ ଫରିଦା ଜଲାଲଙ୍କ ଭଳି ପ୍ରାୟ ୧୨ ଜଣ କଳାକାରଙ୍କ ଝଲକ ଦେଖିବାକୁ ମିଳିଛି। ସମସ୍ତଙ୍କ ଶକ୍ତିଶାଳୀ ପ୍ରସ୍ତୁତି ଫିଲ୍ମ ପ୍ରତି ଆଶାକୁ ଆହୁରି ବଢ଼ାଇଛି।

ଉଲ୍ଲେଖନୀୟ ଯେ, ‘ଓ ରୋମିଓ’ ଏକ ଭରପୂର ଆକ୍ସନ୍–ଥ୍ରୀଲର୍ ଫିଲ୍ମ ଭାବେ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମଟି ୧୪ ଫେବ୍ରୁଆରି ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ। ଟିଜର ରିଲିଜ୍ ପରେ ପ୍ରଶଂସକମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ସ୍ପଷ୍ଟ ଭାବେ ଦେଖାଯାଉଛି।