ତେହେରାନ: ଇରାନରେ ଇସଲାମିକ୍ ଶାସନ ବିରୋଧରେ ଚାଲିଥିବା ପ୍ରତିବାଦ ଏବେ ଭୟଙ୍କର ରୂପ ନେଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀଙ୍କ ଗୁଳିଚାଳନା ହେବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ତେହେରାନର ଜଣେ ଡାକ୍ତରଙ୍କ ଦାବି ଅନୁଯାୟୀ, ରାଜଧାନୀର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଗୁଳି ମାଡ଼ରେ ପ୍ରାଣ ହରାଇଥିବା ଦାବି କରାଯାଇଛି।
ଏହି ଦାବି ସଠିକ୍ ଥିଲେ, ଏହା ଇରାନରେ ସରକାର ବିରୋଧୀ ପ୍ରତିବାଦର ସବୁଠାରୁ ନିର୍ମମ ଦମନମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯିବ। ପ୍ରତିବାଦ ଆରମ୍ଭ ହେବା ପରେ ସରକାର ଦେଶଜୁଡ଼ା ଇଣ୍ଟରନେଟ୍ ଓ ଫୋନ୍ ସେବା ବନ୍ଦ କରିଦେଇଥିବା ମଧ୍ୟ ରିପୋର୍ଟ ମିଳିଛି। ଡିସେମ୍ବର ୨୮ ତାରିଖରେ ଆର୍ଥିକ ସଙ୍କଟ ବିରୋଧରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପିଛି। ପ୍ରତିବାଦକାରୀମାନେ “ସ୍ୱାଧୀନତା” ଓ “ଏକଛତ୍ରବାଦୀ ଶାସନ ମୁର୍ଦାବାଦ” ସ୍ଲୋଗାନ ଦେଇ ରାସ୍ତାକୁ ଓହ୍ଲାଇଛନ୍ତି।
ଡାକ୍ତରଙ୍କ ଦାବି ଅନୁଯାୟୀ, ପ୍ରତିବାଦ ଭୟଙ୍କର ହେବା ସହିତ ସୁରକ୍ଷା ବାହିନୀ ଅନେକ ଅଞ୍ଚଳରେ ସିଧାସଳଖ ଗୁଳିଚାଳନା କରିଥିଲେ। ଉତ୍ତର ତେହେରାନର ଏକ ପୁଲିସ ଷ୍ଟେସନ୍ ନିକଟରେ ମେସିନ୍ଗନ୍ ଚାଳନାରେ ଅନେକ ପ୍ରତିବାଦକାରୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା କୁହାଯାଇଛି। ଯଦିଓ ଅଧିକାଂଶ ରାଲି ଶାନ୍ତିପୂର୍ଣ୍ଣ ଥିଲା, କିଛି ସ୍ଥାନରେ ସରକାରୀ କୋଠାରେ ଭଙ୍ଗାରୁଜା ଓ ଆଗ୍ନିସଂଯୋଗ ଘଟଣା ମଧ୍ୟ ଘଟିଥିବା ରିପୋର୍ଟ ଆସିଛି।
ତଥାପି, ମାନବାଧିକାର ସଂଗଠନଗୁଡ଼ିକ ଏହି ଆକଡା ଠାରୁ କମ୍ ମୃତ୍ୟୁ ସଂଖ୍ୟା ଦାବି କରୁଛନ୍ତି। ୱାଶିଂଟନ୍ ଭିତ୍ତିକ ଏକ ମାନବାଧିକାର ସଂଗଠନ ଅନୁସାରେ, ଏପର୍ଯ୍ୟନ୍ତ ୪୯ ଜଣ ସାଧାରଣ ନାଗରିକ ସମେତ ୬୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ସରକାର-ନିୟନ୍ତ୍ରିତ ଗଣମାଧ୍ୟମ ଉପରେ କଡ଼ା କଟକଣା ଥିବାରୁ ମୃତ୍ୟୁ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସୁଛି।
ଏହି ପରିପ୍ରେକ୍ଷିତରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରତିବାଦ ପଛରେ ବିଦେଶୀ ଶକ୍ତି, ବିଶେଷକରି ଆମେରିକାର ଭୂମିକା ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଇସଲାମିକ୍ ଗଣରାଜ୍ୟ ଏଭଳି ପ୍ରତିବାଦକାରୀଙ୍କ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ତେହେରାନର ପବ୍ଲିକ୍ ପ୍ରସିକ୍ୟୁଟର ପ୍ରତିବାଦକାରୀଙ୍କୁ କଠୋର ପରିଣାମ, ଏପରିକି ମୃତ୍ୟୁଦଣ୍ଡ ସମ୍ମୁଖୀନ ହେବାର ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ପ୍ରତିବନ୍ଧକ ଓ ଆର୍ଥିକ ସଙ୍କଟରେ ଜର୍ଜରିତ ଇରାନର ପରିସ୍ଥିତି ଆହୁରି ଅସ୍ଥିର ହୋଇପଡ଼ିଛି। ୨୦୨୫ ଜୁନ୍ରେ ଇସ୍ରାଏଲ ସହ ୧୨ ଦିନିଆ ଯୁଦ୍ଧ ଏବଂ ଆଞ୍ଚଳିକ ଉତ୍ତେଜନା ଯୋଗୁ ଦେଶର ଅର୍ଥନୀତି ଉପରେ ଚାପ ବଢ଼ିଛି। ଅର୍ଥ ବିଶେଷଜ୍ଞମାନଙ୍କ ମତାନୁସାରେ, ୨୦୨୫ ମସିହାରେ ଇରାନୀ ମୁଦ୍ରା ‘ରିଆଲ’ ଆମେରିକୀୟ ଡଲାର ସମ୍ମୁଖରେ ପ୍ରାୟ ଅଧା ମୂଲ୍ୟ ହରାଇଛି।





