କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା ସଂପର୍କିତ ମର୍କତନଗର ଥାନା ମାମଲାରେ ଗାୟିକା ଅର୍ପିତା ଚୌଧୁରୀ ଓ ସଙ୍ଗୀତକାର ସୋମେଶ ଶତପଥୀଙ୍କୁ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଉଭୟଙ୍କ ତରଫରୁ ଦାୟର ହୋଇଥିବା ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ମାମଲାରେ ହ୍ୟୁମାନ ସାଗରଙ୍କ ମା’ ଓ ଏତଲାକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ମାମଲାର ପ୍ରତିପକ୍ଷ ନମ୍ବର–୨ ଭାବେ ସେଫାଳି ସୁନାଙ୍କୁ ହାଇକୋର୍ଟ ନୋଟିସ ମଧ୍ୟ ଜାରି କରିଛନ୍ତି।

ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ଥାନା ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଗିରଫ ନ କରିବାକୁ କୁହାଯାଇଛି। ସେହିପରି, ତଦନ୍ତକାରୀ ଏଜେନ୍ସି ସହ ଆବେଦନକାରୀମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ଆଦେଶରେ ଉଲ୍ଲେଖ ରହିଛି।

ଜଷ୍ଟିସ ଭି. ନରସିଂହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ହ୍ୟୁମାନ ସାଗରଙ୍କ ମା’ ସେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ଗତ ଡିସେମ୍ବର ୨୧ ତାରିଖରେ ମର୍କତନଗର ଥାନାରେ ଅର୍ପିତା ଚୌଧୁରୀ, ସୋମେଶ ଶତପଥୀ ସହ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ଅର୍ପିତା ଓ ସୋମେଶ ଏକତ୍ର ଭାବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ।