ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ମାନ୍ୟବର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଯୁବଶକ୍ତି, ସମାଜ ଏବଂ ରାଷ୍ଟ୍ର ପ୍ରତି ଏକ ଦୃଢ଼ ସଂକଳ୍ପର ପ୍ରତିଫଳନ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ନୂତନ ଚିନ୍ତାଧାରା ଓ ମୂଲ୍ୟବୋଧ ସୃଷ୍ଟିର ଏକ ସଶକ୍ତ କେନ୍ଦ୍ର। ନିଶା ସେବନ ଭଳି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ଓ ଯୁବ-କେନ୍ଦ୍ରିକ। ଏହି ଅଭିଯାନ ଦେଶବ୍ୟାପୀ ନିଶାବିରୋଧୀ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଶା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ବରଂ ଦେଶର ଭବିଷ୍ୟତ ଓ ଦକ୍ଷ ନାଗରିକ ଗଠନ ପଥରେ ଏକ ବଡ଼ ବିପଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଦେଶର ଯୁବପିଢ଼ି ସୁସ୍ଥ, ସଚେତନ, ଆତ୍ମନିର୍ଭର ଓ ସମାଜ ପରିବର୍ତ୍ତନରେ ସକ୍ରିୟ ଭୂମିକା ନେବେ। ‘ବିକଶିତ ଭାରତ’ର ମାର୍ଗ ‘ନିଶାମୁକ୍ତ ଯୁବଶକ୍ତି’ ମାଧ୍ୟମରେ ହିଁ ଯାଇଥାଏ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ଦୂରଦର୍ଶୀ ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହି ଅଭିଯାନକୁ ଏକ ‘ଜନ-ଆନ୍ଦୋଳନ’ରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି। ନିଶାମୁକ୍ତ, ସୁସ୍ଥ ଓ ସଶକ୍ତ ଭାରତ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

ମୋବାଇଲ୍ ଆପ୍ଲିକେସନ ଓ ଇ-ଶପଥ ପ୍ଲାଟଫର୍ମର ଶୁଭାରମ୍ଭ

ଏହି ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ‘ନିଶାମୁକ୍ତ ପରିସର ଅଭିଯାନ’ ଅଧୀନରେ ଏକ ସ୍ୱତନ୍ତ୍ର ଇ-ଶପଥ ପ୍ଲାଟଫର୍ମ (pledge.du.ac.in) ଓ ମୋବାଇଲ୍ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି। ସେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ଲାଟଫର୍ମ ମାଧ୍ୟମରେ ନିଶାମୁକ୍ତ କ୍ୟାମ୍ପସ ପାଇଁ ଶପଥ ନେବାକୁ ଆହ୍ୱାନ କରିଛନ୍ତି। ଏହି ଅଭିଯାନ ସମସ୍ତ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନର ଏକ ଅବିଚ୍ଛେଦ୍ୟ ଅଂଶ ହେବା ଉଚିତ ବୋଲି ଉପରାଷ୍ଟ୍ରପତି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।