ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଦାନଶୀଳ ସଂସ୍ଥା ଭାବେ ପରିଚିତ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନକୁ ଧୀରେଧୀରେ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ୍‌ ଗେଟ୍‌ସଙ୍କ ଯୋଜନା ଅନୁଯାୟୀ, ଆସନ୍ତା ୫ ବର୍ଷ ମଧ୍ୟରେ ଫାଉଣ୍ଡେସନର ପ୍ରାୟ ୫୦୦ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ଛଟେଇ କରାଯିବ।

ବର୍ତ୍ତମାନ ସମୟରେ ଫାଉଣ୍ଡେସନରେ ସାରା ବିଶ୍ୱରେ ୨,୩୭୫ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଫାଉଣ୍ଡେସନର ସିଇଓ ମାର୍କ ସୁଜମ୍ୟାନ୍‌ ସୂଚନା ଦେଇ କହିଛନ୍ତି ଯେ, ଛଟେଇ ପ୍ରକ୍ରିୟା ଧୀରେଧୀରେ କରାଯିବ ଏବଂ କିଛି ଖାଲି ପଦବୀକୁ ଆଉ ପୂରଣ କରାଯିବ ନାହିଁ। ଏହାସହ ବାର୍ଷିକ ପରିଚାଳନା ଖର୍ଚ୍ଚକୁ ମୋଟ ବଜେଟ୍‌ର ୧୪ ପ୍ରତିଶତ, ଅର୍ଥାତ୍‌ ପ୍ରାୟ ୧୨୫ କୋଟି ଡଲାରରେ ସୀମିତ ରଖାଯିବ।

ସୂଚନାଯୋଗ୍ୟ ଯେ, ୨୦୨୬ ମସିହାରେ ଫାଉଣ୍ଡେସନ ରେକର୍ଡ ୯୦୦ କୋଟି ଡଲାର ବ୍ୟୟ କରିବାକୁ ଯୋଜନା କରିଛି। ପୂର୍ବରୁ ବିଲ୍‌ ଗେଟ୍‌ସ ଘୋଷଣା କରିଥିଲେ ଯେ, ୨୦୪୫ ସୁଦ୍ଧା ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ। ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ସଂସ୍ଥା ପ୍ରାୟ ୨୦,୦୦୦ କୋଟି ଡଲାର ଖର୍ଚ୍ଚ କରିବ ବୋଲି ମଧ୍ୟ ସେ କହିଥିଲେ।

ବିଶ୍ୱ ସ୍ଥିତିକୁ ନେଇ ଗେଟ୍‌ସଙ୍କ ଚିନ୍ତା

ଏଭଳି ଏକ ସମୟରେ ଫାଉଣ୍ଡେସନ ନିଜ ବନ୍ଦ ପ୍ରକ୍ରିୟା ଆରମ୍ଭ କରିଛି, ଯେତେବେଳେ ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହାୟତା କ୍ରମେ କମିବାରେ ଲାଗିଛି। ଗତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସୂଚକାଙ୍କରେ ଅବନତି ଓ ଶିଶୁ ମୃତ୍ୟୁହାର ଦୁଇ ଦଶନ୍ଧିର ସର୍ବୋଚ୍ଚ ସ୍ତରକୁ ପହଞ୍ଚିବାକୁ ନେଇ ବିଲ୍‌ ଗେଟ୍‌ସ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ଗେଟ୍‌ସଙ୍କ କହିବା ଅନୁଯାୟୀ, ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆସନ୍ତା ୫ ବର୍ଷ ବହୁତ ପରିଶ୍ରମ ଆବଶ୍ୟକ। ଆଗାମୀ ଦିନରେ ଫାଉଣ୍ଡେସନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସଂକ୍ରାମକ ରୋଗ ପ୍ରତିରୋଧ, ଦାରିଦ୍ର୍ୟ ଦୂରୀକରଣ ଏବଂ ଏଚ୍‌ଆଇଭି-ଯକ୍ଷ୍ମା ନିରୋଧ ଉପରେ ଗୁରୁତ୍ୱ ଦେବ। ଏହାସହ ଆଫ୍ରିକା ଓ ଭାରତରେ କାର୍ଯ୍ୟ ପରିସର ବୃଦ୍ଧି ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ମଧ୍ୟ ନିବେଶ ଜାରି ରହିବ।