ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ କୃତ୍ରିମ ବୁଦ୍ଧିମତା (AI) ଭିତ୍ତିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବ୍ୟାପକ ବିବାଦ ସୃଷ୍ଟି ହୋଇଛି। ଏହି ଭିଡିଓରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଏକ ବିଶାଳ ବିଗ୍ରହ ଉପରେ କ୍ରେନ୍ ମାଧ୍ୟମରେ କ୍ଷୀର ଢଳାଯାଉଥିବା ଦୃଶ୍ୟ ଦେଖାଯାଉଛି, ଯାହାକୁ ଶ୍ରୀଜଗନ୍ନାଥ ପରମ୍ପରା ବିରୋଧୀ ଓ ଅବାସ୍ତବ ବୋଲି ଅଭିହିତ କରାଯାଇଛି।
ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରନ୍ତି ଏବଂ କେବଳ ନବଦିନାତ୍ମକ ରଥଯାତ୍ରା ସମୟରେ ସିଂହଦ୍ୱାର ବାହାରକୁ ଆସନ୍ତି। ଏପରି ପରିପ୍ରେକ୍ଷିତରେ, କ୍ରେନ୍ରେ ଦୁଗ୍ଧ ସ୍ନାନ ଭଳି ଦୃଶ୍ୟ ଶ୍ରୀମନ୍ଦିରର କୌଣସି ନୀତି ବା ପର୍ବ ସହ ସମ୍ପୃକ୍ତ ନୁହେଁ ବୋଲି ସେବାୟତ ଓ ଧାର୍ମିକ ବିଶେଷଜ୍ଞମାନେ କହିଛନ୍ତି।
ଭିଡିଓ ଭାଇରାଲ୍ ହେବା ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଏଭଳି ଭ୍ରମାତ୍ମକ ଦୃଶ୍ୟ ନୂଆ ପିଢ଼ି ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଭୁଲ୍ ଧାରଣା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଅନେକଙ୍କ ମତରେ, ଭକ୍ତିଭାବ ଠାରୁ ଅଧିକ ଭିଉ ଓ ଲୋକପ୍ରିୟତା ପାଇଁ ଏପରି AI ଭିଡିଓ ତିଆରି କରାଯାଉଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଭୁଲ୍ ତଥ୍ୟ, ଭ୍ରମାତ୍ମକ ଫଟୋ ଓ ଭିଡିଓ ପ୍ରଚାର ନେଇ ସତର୍କତା ଜାରି କରାଯାଇଛି। ତଥାପି ଏଭଳି କାର୍ଯ୍ୟ ବନ୍ଦ ହେଉନଥିବାରୁ, AI ଭିତ୍ତିକ ଭ୍ରମାତ୍ମକ ଭିଡିଓ ତିଆରିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦାବି ଜୋର ଧରୁଛି।
ଏଆଇ ଯୁଗରେ ମନଗଢ଼ା ପରମ୍ପରା ଓ ଅବାସ୍ତବ ଚିତ୍ରଣ ଉପରେ ସରକାର ଓ ପ୍ରଶାସନ ଦୃଢ଼ ରୋକ୍ ନଲଗାଇଲେ, ଯେକେହି ଇଚ୍ଛାମତେ ଏପରି ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପ୍ରଚାର କରିବାର ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।





