ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଭାରତ ଏବେ ବିଶ୍ୱସ୍ତରର ଯନ୍ତ୍ରପାତି ନିର୍ମାତାଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହୋଇଉଠିଛି। ନେଦରଲ୍ୟାଣ୍ଡସ୍‌ର ଭେଲ୍ଡହୋଭେନ ସ୍ଥିତ ଏଏସ୍‍ଏମ୍‍ଏଲ (ASML) ମୁଖ୍ୟାଳୟ ପରିଦର୍ଶନ ସମୟରେ ସେ ଏହି ମତାମତ ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଭାରତ ଏକ ନୂତନ ସେମିକଣ୍ଡକ୍ଟର ଶିଳ୍ପର ଭିତ୍ତି ସୃଷ୍ଟି କରିଛି। ୱେଫର୍ ଉପରେ ସର୍କିଟ୍ ପ୍ରିଣ୍ଟିଂ ପାଇଁ ବ୍ୟବହୃତ ଲିଥୋଗ୍ରାଫି ପ୍ରକ୍ରିୟା ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ନିର୍ମାଣ ଶୃଙ୍ଖଳାରେ ସବୁଠାରୁ ଜଟିଳ ଓ ସୂକ୍ଷ୍ମ ପଦକ୍ଷେପ ଅଟେ। ଏହି କ୍ଷେତ୍ରରେ ଏଏସ୍‍ଏମ୍‍ଏଲ ବିଶ୍ୱର ଅଗ୍ରଣୀ ଉପକରଣ ଯୋଗାଣକାରୀ ଭାବେ ପରିଚିତ।

ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ବିଶ୍ୱରେ ନିର୍ମିତ ପ୍ରାୟ ପ୍ରତ୍ୟେକ ସେମିକଣ୍ଡକ୍ଟର ଚିପ୍ ଏଏସ୍‍ଏମ୍‍ଏଲର ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ। “ଧୋଲେରାରେ ସ୍ଥାପିତ ହେବାକୁ ଯାଉଥିବା ଆମର ସେମିକଣ୍ଡକ୍ଟର ଫ୍ୟାବ୍‌ରେ ଏଏସ୍‍ଏମ୍‍ଏଲର ଯନ୍ତ୍ରପାତି ବ୍ୟବହୃତ ହେବ। ସେହିପାଇଁ ତାଙ୍କର ପ୍ରଯୁକ୍ତିବିଦ୍ୟାକୁ ନିକଟରୁ ବୁଝିବା ଉଦ୍ଦେଶ୍ୟରେ ମୁଁ ଏଠାକୁ ଆସିଛି,” ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଏସ୍‍ଏମ୍‍ଏଲର ଭାରତକୁ ଆସିବା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବ। ଭାରତର ଶକ୍ତିଶାଳୀ ଡିଜାଇନ୍ ଦକ୍ଷତା, ବିଶାଳ ପ୍ରତିଭା ସମ୍ପଦ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ଥିର ଓ ସ୍ପଷ୍ଟ ନୀତି ଫଳରେ ବିଶ୍ୱର ଅନେକ ଯନ୍ତ୍ରପାତି ନିର୍ମାତା ଭାରତରେ ନିଜ ଆଧାର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏଏସ୍‍ଏମ୍‍ଏଲ ସମ୍ପର୍କରେ:

ଏଏସ୍‍ଏମ୍‍ଏଲ ହେଉଛି ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଯୋଗାଣକାରୀ ସଂସ୍ଥା। ଏହି ଡଚ୍ ବହୁରାଷ୍ଟ୍ରୀୟ କମ୍ପାନି ଇଣ୍ଟିଗ୍ରେଟେଡ୍ ସର୍କିଟ୍ ତିଆରିରେ ବ୍ୟବହୃତ ‘ଫୋଟୋଲିଥୋଗ୍ରାଫି’ ମେସିନ୍‌ର ଡିଜାଇନ୍ ଓ ନିର୍ମାଣରେ ନିପୁଣ। ଏହା ସିଲିକନ୍ ଉପରେ ସୂକ୍ଷ୍ମ ପ୍ୟାଟର୍ନ ପ୍ରସ୍ତୁତ କରି ଅଧିକ ଛୋଟ, ଦ୍ରୁତ ଏବଂ ଶକ୍ତି-କୁଶଳୀ ଚିପ୍ ତିଆରିକୁ ସମ୍ଭବ କରେ। ଏଏସ୍‍ଏମ୍‍ଏଲର ଏକ ପ୍ରତିନିଧି ଦଳ ‘ସେମିକନ୍ ଇଣ୍ଡିଆ ୨୦୨୫’ରେ ଅଂଶଗ୍ରହଣ କରି ଭାରତର ସେମିକଣ୍ଡକ୍ଟର ଯାତ୍ରାରେ ଅଂଶୀଦାର ହେବା ପାଇଁ ଦୃଢ଼ ଆଗ୍ରହ ପ୍ରକାଶ କରିଥିଲା।