ରାୟପୁର: ଈଶାନ କିଶନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଦମରେ ଭାରତ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ରେ ୭ ୱିକେଟ୍ର ଜବରଦସ୍ତ ବିଜୟ ହାସଲ କରିଛି। ଏହା ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୨-୦ରେ ଆଗୁଆ ହୋଇଯାଇଛି। ୨୦୯ ରନ୍ର ଲକ୍ଷ୍ୟକୁ ଭାରତ ୨୮ ବଲ୍ ବାକି ଥିବାବେଳେ ହାସଲ କରି ବିଶ୍ୱକପ୍ ପୂର୍ବରୁ ନିଜର ଦମଦାର ଫର୍ମର ସଙ୍କେତ ଦେଇଛି।
ଟସ୍ ଜିତି ଭାରତ ନ୍ୟୁଜିଲାଣ୍ଡ୍କୁ ପ୍ରଥମେ ବ୍ୟାଟିଂକୁ ଡାକିଥିଲା। ପାୱାରପ୍ଲେରେ ୨ ୱିକେଟ୍ ହରାଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ୬୪ ରନ୍ ସଂଗ୍ରହ କରିଥିଲା। ରାଚିନ ରବୀନ୍ଦ୍ର ୨୬ ବଲ୍ରୁ ୪୪ ରନ୍ କରିଥିବାବେଳେ, ଶେଷ ଓଭରଗୁଡ଼ିକରେ ଅଧିନାୟକ ମିଚେଲ୍ ସାଣ୍ଟନର୍ ୨୭ ବଲ୍ରୁ ଅଜୟ ୪୭ ରନ୍ କରି ଦଳକୁ ୨୦ ଓଭରରେ ୨୦୮/୬ ରନ୍ରେ ପହଞ୍ଚାଇଥିଲେ।
ଜବାବରେ ଭାରତ ମଧ୍ୟ ଆରମ୍ଭରେ ସଂଜୁ ସାମସନ୍ ଓ ଅଭିଷେକ ଶର୍ମାଙ୍କୁ ଶୀଘ୍ର ହରାଇଥିଲା। କିନ୍ତୁ ତାପରେ ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍ର ଦିଗ ବଦଳାଇଦେଇଥିଲେ। ଦୁହେଁ ମିଶି ୮ ଓଭରରେ ୧୨୨ ରନ୍ର ଧମାକାଦାର ଭାଗୀଦାରୀ ଗଢ଼ି ଲକ୍ଷ୍ୟକୁ ସହଜ କରିଦେଇଥିଲେ।
ଈଶାନ କିଶନ ୨୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରି ୩୨ ବଲ୍ରେ ୭୬ ରନ୍ କରିଥିଲେ, ଯେଉଁଥିରେ ୧୧ ଚୌକା ଓ ୪ ଛକା ଥିଲା। ସୂର୍ଯ୍ୟକୁମାର ଯାଦବ ୩୭ ବଲ୍ରୁ ୮୨* ରନ୍ର ଅପରାଜିତ ପାଳି ଖେଳି ୧୫ ମାସ ପରେ ଟ୍ୱେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲେ। ଶିବମ ଦୁବେ ୧୮ ବଲ୍ରୁ ୩୬* ରନ୍ କରି ବିଜୟକୁ ସୁନିଶ୍ଚିତ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ୍ – ୨୦ ଓଭରରେ ୨୦୮/୬
ଭାରତ – ୧୫.୨ ଓଭରରେ ୨୦୯/୩





