ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତଜଗତ ପାଇଁ ଏକ ଗଭୀର ଆଘାତ। ରାଜ୍ୟର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର୍ ଆଉ ନାହାନ୍ତି। ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ସକାଳ ୯ଟା ୨ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ୫୪ ବର୍ଷ ଥିଲା।
ଲିଭର ସମ୍ପର୍କିତ ଜଟିଳ ରୋଗରେ ପୀଡିତ ଅଭିଜିତ୍ ଗତ ସେପ୍ଟେମ୍ବର ମାସରୁ ଚିକିତ୍ସାଧୀନ ଥିଲେ। ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲେ, କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ପରେ ଭେଣ୍ଟିଲେଟର ସହିତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।
ଏମ୍ସରେ ଭର୍ତ୍ତି ପରେ ତାଙ୍କ ଶରୀରରେ ସୋଡିୟମ ମାତ୍ରା କମିଯାଇଥିବା ଓ ଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଥିଲା। ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବା କଥା ଥିଲା। ଡାକ୍ତରମାନଙ୍କ ଅନୁସାରେ, ସେ ଗୁରୁତର ଅବସ୍ଥାରେ ଥିଲେ, ଯଦିଓ ମଧ୍ୟବର୍ତ୍ତୀ ସମୟରେ ସାମାନ୍ୟ ଉନ୍ନତି ଦେଖାଯାଇଥିଲା।
‘କାଶିଆ କପିଳା’ ଜରିଆରେ ସିନେ ସଙ୍ଗୀତରେ ପ୍ରବେଶ
ଉଲ୍ଲେଖଯୋଗ୍ୟ ଯେ, ଅଭିଜିତ୍ ମଜୁମ୍ଦାର୍ କ୍ୟାସେଟ୍ ଯୁଗରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ। ୨୦୦୦ ମସିହାରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ‘କାଶିଆ କପିଳା’ ସିନେମା ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତରେ ନିଜ ଯାତ୍ରା ଆରମ୍ଭ କରିଥିଲେ।
ତାଙ୍କ ସଙ୍ଗୀତ ଜୀବନରେ ସେ ପ୍ରାୟ ୬୦ରୁ ଅଧିକ ଚଳଚ୍ଚିତ୍ର ଓ ୧୦୦ରୁ ଅଧିକ ଆଲବମ୍ ପାଇଁ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି। ‘ମାଧବ ହେ ମାଧବ’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଢ ମାର୍କା’, ‘ଟ୍ୱିଙ୍କଲ୍ ଟ୍ୱିଙ୍କଲ୍ ଲିଟିଲ୍ ଷ୍ଟାର୍’ ଭଳି ଅନେକ ଗୀତ ଆଜି ବି ସଙ୍ଗୀତପ୍ରେମୀଙ୍କ ମନରେ ଅମର।
‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ କରିଥିବା ବେଳେ, ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକୁ’ ଗୀତ ତାଙ୍କୁ ବ୍ୟାପକ ଲୋକପ୍ରିୟତା ଦେଇଥିଲା।
ଅଭିଜିତ୍ ମଜୁମ୍ଦାର୍ ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଛାଇଯାଇଛି।





