ଭୁବନେଶ୍ୱର: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ମେଢ଼ ମାଧ୍ୟମରେ ରାଜ୍ୟର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଐତିହ୍ୟ ଓ ଆଧୁନିକ ପ୍ରଗତିକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଗଣତନ୍ତ୍ର ଦିବସ ଉପଲକ୍ଷେ କର୍ତ୍ତବ୍ୟପଥରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସମଗ୍ର ଦେଶବାସୀଙ୍କ ସାମ୍ନାରେ ରାଜ୍ୟର ସମୃଦ୍ଧ ପରମ୍ପରା ଓ ଅପାର ସାମର୍ଥ୍ୟର ସ୍ପଷ୍ଟ ପରିଚୟ ଦେଇଛି। ‘ପରମ୍ପରାରୁ ପ୍ରଗତି’ କେବଳ ଏକ ନାରା ନୁହେଁ, ବରଂ ଏହା ଓଡ଼ିଶାର ସଂକଳ୍ପବଦ୍ଧ ବିକାଶ ଯାତ୍ରାର ଜୀବନ୍ତ ପ୍ରତିଫଳନ ବୋଲି ସେ କହିଛନ୍ତି।

ପରମ୍ପରା ଓ ପ୍ରଯୁକ୍ତିର ଅଦ୍ଭୁତ ସମନ୍ୱୟ

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କୋରାପୁଟ କଫିର ସୁଗନ୍ଧ ଆଜି ବିଶ୍ୱ ବଜାରରେ ଆଦର ପାଉଥିବା ବେଳେ, ଓଡ଼ିଶାର ବୈଷୟିକ ଜ୍ଞାନକୌଶଳ ‘ସିଲିକନ୍ ଚିପ୍’ ମାଧ୍ୟମରେ ଆଧୁନିକ ବିଶ୍ୱକୁ ନୂଆ ଦିଗ ଦେବାକୁ ପ୍ରସ୍ତୁତ। କୋଣାର୍କ ଚକ୍ର, ପଟ୍ଟଚିତ୍ରର ଶାଶ୍ୱତ ଶୈଳୀ ଓ ଭବିଷ୍ୟତମୁଖୀ ଡିଜିଟାଲ୍ ବିପ୍ଳବର ସମନ୍ୱୟ ଏହି ପ୍ରଜ୍ଞାପନ ମେଢ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଆତ୍ମନିର୍ଭର ଭାରତରେ ଓଡ଼ିଶାର ଶକ୍ତିଶାଳୀ ଭୂମିକା

ଏହି ଚିତ୍ତାକର୍ଷକ ପ୍ରଦର୍ଶନ ମାଧ୍ୟମରେ ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ନିଜ ଅସ୍ମିତାକୁ ସୁରକ୍ଷିତ ରଖି ‘ଆତ୍ମନିର୍ଭର ଭାରତ’ ଗଠନରେ ଏକ ଶକ୍ତିଶାଳୀ ସାରଥି ଭାବେ ଆଗୁଆଁ ହେଉଛି। କୃଷିରୁ ଶିଳ୍ପ, ସଂସ୍କୃତିରୁ ପ୍ରଯୁକ୍ତି ପର୍ଯ୍ୟନ୍ତ ଓଡ଼ିଶାର ଏହି ଅବିରତ ଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କାରଣ ହୋଇଛି।