ଦେବଗଡ଼: ଦେବଗଡ଼ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଏକ ନାବାଳିକା ସହ ଯୌନ ନିର୍ଯାତନା ଘଟିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ନାମଯଜ୍ଞ ଦେଖିବାକୁ ଯାଇଥିବା ସମୟରେ ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମର ଉଦିତ ପାତ୍ର ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନାବାଳିକାଙ୍କ ସହ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଶିଶୁଟି ଚିତ୍କାର କରିବା ପରେ ସ୍ଥାନୀୟ ଗ୍ରାମବାସୀ ଅଭିଯୁକ୍ତକୁ ଧରି ପୁଲିସକୁ ସୂଚନା ଦେଇଥିଲେ। ଏହି ମଧ୍ୟରେ ଉତ୍ତେଜିତ ଲୋକମାନଙ୍କ ହାତରେ ଅଭିଯୁକ୍ତ ଆହତ ହୋଇଥିବା ଜଣାପଡ଼ିଛି। ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଛି, ଯେଉଁଠାରେ ତାଙ୍କ ଚିକିତ୍ସା ଚାଲିଛି।

ଅନ୍ୟପଟେ, ପୀଡ଼ିତାଙ୍କୁ ମଧ୍ୟ ଚିକିତ୍ସା ଯାଞ୍ଚ କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ଚିକିତ୍ସା ପରେ କୋର୍ଟଚାଲାଣ

ବର୍ତ୍ତମାନ ଅଭିଯୁକ୍ତ ଡାକ୍ତରଖାନାରେ ପୁଲିସ ହେପାଜତରେ ରହିଛନ୍ତି। ଚିକିତ୍ସା ସମାପ୍ତି ପରେ ତାଙ୍କୁ କୋର୍ଟଚାଲାଣ କରାଯିବା ସହ ମାମଲାର ଗଭୀର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।