ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଓ ଏହାର ଶିଳ୍ପାଞ୍ଚଳ ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ଥାନୀୟ ଲଫଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ ଶିଳ୍ପାନୁଷ୍ଠାନରେ ଦୁଇଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ବୃହତ୍ ପ୍ରକଳ୍ପର ଶିଲାନ୍ୟାସ ଅବସରରେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ନ ଦିଆଗଲେ କାରଖାନାର କୌଣସି ସମ୍ପ୍ରସାରଣକୁ ସରକାର ସମର୍ଥନ କରିବେ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଅଞ୍ଚଳର ଅର୍ଥନୈତିକ ଉନ୍ନତିରେ ଗୁରୁତ୍ୱପୂର୍ଣ ଭୂମିକା ନିଭାଇଛି। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫୦୦ ଲୋକ ନିଯୁକ୍ତି ପାଇଛନ୍ତି, ଯାହାର ୮୦ ପ୍ରତିଶତ ସ୍ଥାନୀୟ। ତେବେ ଏହାର ସଠିକ୍ ହିସାବ ନିକାସ କରାଯିବ ବୋଲି ସେ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ୫ ହଜାର କୋଟି ଟଙ୍କାର ଆଲୁମିନିୟମ ଏଫ୍‌ଆର୍‌ପି ୟୁନିଟ ଓ ୮୩୪ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟାଟେରି ଫଏଲ ନିର୍ମାଣ ୟୁନିଟର ଉଦଘାଟନ କରିଥିଲେ। ସେହିପରି ୨୧ ହଜାର ୧୬୨ କୋଟି ଟଙ୍କା ବ୍ୟୟରେ ଆଦିତ୍ୟ ଆଲୁମିନିୟମ ସ୍ମେଲଟର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଶିଲାନ୍ୟାସ ମଧ୍ୟ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ସୁଦୃଢ଼ ହେଲେ ଅଞ୍ଚଳର ସାର୍ବିକ ବିକାଶ ସମ୍ଭବ। ସେଥିପାଇଁ ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବ। ଏଠାରେ ଯୁବକ-ଯୁବତୀମାନଙ୍କୁ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଦକ୍ଷ କରାଯିବ।

ସେ ଆହୁରି କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ଓ ଅଞ୍ଚଳକୁ ପରିବେଶ ସୁରକ୍ଷିତ କରିବା ପାଇଁ ଯାହା ଆବଶ୍ୟକ ସରକାର ତାହା କରିବେ। କମ୍ପାନିମାନଙ୍କୁ ସ୍ଥାନୀୟ ଜନପ୍ରତିନିଧିଙ୍କ ମତାମତକୁ ଗୁରୁତ୍ୱ ଦେଇ ସିଏସଆର୍ କାର୍ଯ୍ୟ କରିବାକୁ ପଡ଼ିବ।

ନୂଆ ଶିଳ୍ପରେ ୧୫ ଲକ୍ଷ ଚାକିରିର ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାରେ ଆହୁରି ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ। ଏହା ମାଧ୍ୟମରେ ୧୫ ଲକ୍ଷ ଶିକ୍ଷିତ ଯୁବକ-ଯୁବତୀଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି। ରାଜ୍ୟରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାକୁ ଯାଉଛି। ହିଣ୍ଡାଲକୋ ଏମଡି ସତୀଶ ପାଇଙ୍କୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ୮୦ ପ୍ରତିଶତ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦିଆଯାଉ।

କମ୍ପାନି ବିରୋଧରେ ବିଧାୟକଙ୍କ ଅସନ୍ତୋଷ

ଅନ୍ୟପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ କମ୍ପାନିମାନଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଶିଳ୍ପଗୁଡ଼ିକ ସ୍ଥାନୀୟ ନିଯୁକ୍ତି ନୀତିକୁ ଅବହେଳା କରୁଛନ୍ତି। ସ୍ଥାନୀୟ ଲୋକଙ୍କୁ ଚାକିରିରେ ଅଗ୍ରାଧିକାର ଦେବାକୁ ସେ ପୂର୍ବରୁ ଫାଇଲ ପଠାଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପୂର୍ବତନ ବିଧାୟକ ନାଉରି ନାୟକ ସହ ଅନେକ ଜନପ୍ରତିନିଧି ଉପସ୍ଥିତ ଥିଲେ।