ବରେଲି:
ଉତ୍ତର ପ୍ରଦେଶର ପିସିଏସ୍ ଅଧିକାରୀ ଅଳଙ୍କାର ଅଗ୍ନିହୋତ୍ରୀଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ଇସ୍ତଫା ପତ୍ର ଦାଖଲ ଓ ପରେ ସରକାରଙ୍କ ଦ୍ୱାରା ନିଲମ୍ବନ ପରେ ଏବେ ସେ ମଧ୍ୟରାତ୍ରିରେ ତାଙ୍କ ସରକାରୀ ବାସଭବନ ଖାଲି କରି କୌଣସି ଔପଚାରିକ ଦାୟିତ୍ୱ ହସ୍ତାନ୍ତର ନ କରି ସହର ଛାଡ଼ି ଚାଲିଯାଇଥିବା ଖବର ମିଳିଛି।
ରିପୋର୍ଟ ଅନୁଯାୟୀ, ରବିବାର ଓ ସୋମବାର ମଧ୍ୟରାତ୍ରି ପ୍ରାୟ ସାଢ଼େ ୧୨ଟା ସମୟରେ ବରେଲି ସିଟି ମାଜିଷ୍ଟ୍ରେଟ୍ ଥିବା ଅଳଙ୍କାର ଅଗ୍ନିହୋତ୍ରୀ ତାଙ୍କ ସରକାରୀ ବାସଭବନରୁ ଅଧିକାଂଶ ସାମଗ୍ରୀ ବାହାର କରିଥିଲେ। ଗୋଟିଏ ଗାଡ଼ିରେ ସାମଗ୍ରୀ ଲୋଡ୍ କରିବା ପରେ ସେ ନିଜ ଗାଡ଼ିରେ ସହର ଛାଡ଼ି ଚାଲିଯାଇଥିବା କୁହାଯାଉଛି।
ପ୍ରଶାସନିକ ନିୟମ ଅନୁଯାୟୀ ବାସଭବନ ଛାଡ଼ିବା ପୂର୍ବରୁ ଆବଶ୍ୟକ ଔପଚାରିକତା ପୂରଣ କରିବା ଦରକାର ଥିଲା। କିନ୍ତୁ ସେ ଏହା କରିନଥିବାରୁ ପ୍ରଶାସନ ଏବେ ତାଙ୍କ ନୂଆ ଠିକଣା ବିଷୟରେ ସୂଚନା ମିଳିବାକୁ ଚେଷ୍ଟା କରୁଛି।
ଆଇଆଇଟି ସ୍ନାତକରୁ ପିସିଏସ୍ ଅଧିକାରୀ
ଅଳଙ୍କାର ଅଗ୍ନିହୋତ୍ରୀ ୨୦୧୯ ବ୍ୟାଚର ପିସିଏସ୍ ଅଧିକାରୀ। ପ୍ରଶାସନିକ ସେବାରେ ଯୋଗଦେବା ପୂର୍ବରୁ ସେ ଆଇଆଇଟି (ବିଏଚ୍ୟୁ)ରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ ଏବଂ ପ୍ରାୟ ଦଶବର୍ଷ ଧରି ଆଇଟି କ୍ଷେତ୍ରରେ କାର୍ଯ୍ୟରତ ଥିଲେ। ତାଙ୍କ ଇସ୍ତଫା ପତ୍ରରେ ସେ ମହାମନା ମଦନ ମୋହନ ମାଲବ୍ୟଙ୍କ ଆଦର୍ଶରେ ପ୍ରେରିତ ହୋଇ ଜନସେବାରେ ଯୋଗଦେଇଥିବା କଥା ଉଲ୍ଲେଖ କରିଥିଲେ।
ତେବେ ସାମ୍ପ୍ରତିକ ଘଟଣାକ୍ରମ ତାଙ୍କ କ୍ୟାରିୟର ଉପରେ ଗୁରୁତର ପ୍ରଭାବ ପକାଇଛି। ତାଙ୍କ ବୟାନ ସତ୍ତ୍ୱେ ସରକାର ତାଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଇସ୍ତଫା ପଛରେ ୟୁଜିସି ଓ ଧାର୍ମିକ ବିବାଦ
ଅଳଙ୍କାର ତାଙ୍କ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଅନେକ ସାମାଜିକ ଓ ଧାର୍ମିକ ପ୍ରସଙ୍ଗ ଉଠାଇଥିଲେ। ପ୍ରୟାଗରାଜ ମାଘମେଳା ସମୟରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଶିଷ୍ୟମାନଙ୍କ ସହ ଘଟିଥିବା ଘଟଣାକୁ ସେ ନିଜକୁ ଗଭୀର ଭାବେ ଆଘାତ ଦେଇଥିବା ବୋଲି ଉଲ୍ଲେଖ କରିଥିଲେ। ସେହିପରି ନୂତନ ୟୁଜିସି ନିୟମକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ହାନିକାରକ ବୋଲି ସେ ଅଭିଯୋଗ କରିଥିଲେ।
ଡିଏମ୍ ଓ ଜିଲ୍ଲା ପ୍ରଶାସନ ବିରୋଧରେ ଗମ୍ଭୀର ଅଭିଯୋଗ
ଅଳଙ୍କାର ଅଗ୍ନିହୋତ୍ରୀ ତାଙ୍କ ଇସ୍ତଫା ପତ୍ରରେ ଜିଲ୍ଲା ପ୍ରଶାସନ ଓ ଡିଏମ୍ଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଡିଏମ୍ଙ୍କ ବାସଭବନରେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଳପୂର୍ବକ ରଖାଯାଇଥିଲା ଏବଂ ମାନସିକ ଚାପ ଦିଆଯାଇଥିଲା। ଲକ୍ଷ୍ନୌରୁ ଆସିଥିବା ଏକ ଫୋନ୍ କଲ୍ରେ ତାଙ୍କ ଜାତିଗତ ପରିଚୟକୁ ନେଇ ଅପମାନଜନକ ମନ୍ତବ୍ୟ କରାଯାଇଥିବା ଅଭିଯୋଗ ମଧ୍ୟ ସେ କରିଥିଲେ।
ପ୍ରଶାସନ ପକ୍ଷରୁ ଅଭିଯୋଗ ଖଣ୍ଡନ
ଜିଲ୍ଲା ପ୍ରଶାସନ ଅଳଙ୍କାର ଅଗ୍ନିହୋତ୍ରୀଙ୍କ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ଏଡିଏମ୍ ଦୀପକ ସିଂହ କହିଛନ୍ତି ଯେ, ସେକେବଳ ସାଧାରଣ ପ୍ରଶାସନିକ ଆଲୋଚନା ପାଇଁ ଡକାଯାଇଥିଲେ। ବୈଠକରେ ଏସ୍ଏସ୍ପି ଓ ଅନ୍ୟ ଏଡିଏମ୍ମାନେ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସହ ସମ୍ମାନଜନକ ବ୍ୟବହାର କରାଯାଇଥିଲା ଓ ବନ୍ଧକ ରଖାଯିବା ଭଳି କୌଣସି ପରିସ୍ଥିତି ହୋଇନଥିଲା ବୋଲି ପ୍ରଶାସନ ସ୍ପଷ୍ଟ କରିଛି।





