ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଗାମୀ ବାର୍ଷିକ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ଅଂଶ ଭାବେ ନର୍ଥ ବ୍ଲକ୍ରେ ପାରମ୍ପରିକ ହାଲ୍ୱା ଉତ୍ସବ ଆୟୋଜିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ ବଜେଟ୍ ପ୍ରସ୍ତୁତିରେ ଜଡିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହାଲ୍ୱା ବଣ୍ଟନ କରିଥିଲେ।
ହାଲ୍ୱା ଉତ୍ସବ ସହିତ ବଜେଟ୍ ପ୍ରସ୍ତୁତି ସହ ଜଡିତ ସମସ୍ତ ଅଧିକାରୀଙ୍କୁ ନର୍ଥ ବ୍ଲକ୍ରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ବଜେଟ୍ ଉପସ୍ଥାପନ ପର୍ଯ୍ୟନ୍ତ ସେମାନଙ୍କୁ ବାହାରକୁ ଯିବା କିମ୍ବା ବାହ୍ୟ ଦୁନିଆ ସହ କୌଣସି ପ୍ରକାର ଯୋଗାଯୋଗ କରିବାର ଅନୁମତି ମିଳିବ ନାହିଁ। ଏହି ସମୟରେ ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାର ଉପରେ ମଧ୍ୟ କଠୋର ପାବନ୍ଧି ଲାଗୁ କରାଯାଇଛି।
ବଜେଟ୍ ଦସ୍ତାବିଜର ଗୋପନୀୟତା ରକ୍ଷା କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଅଧିକାରୀମାନଙ୍କ ରହଣୀ, ଖାଦ୍ୟ ପାନୀୟ ଓ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ନର୍ଥ ବ୍ଲକ୍ରେ ବ୍ୟବସ୍ଥା କରାଯାଇଛି।
ହାଲ୍ୱା ଉତ୍ସବ ଅବସରରେ ଅର୍ଥମନ୍ତ୍ରୀ ନର୍ଥ ବ୍ଲକ୍ରେ ଥିବା ବଜେଟ୍ ପ୍ରେସ୍ର ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ସମସ୍ତ ଟିମ୍କୁ ଶୁଭକାମନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସହ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ରବିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଅଭିଭାଷଣ ସମାପ୍ତି ପରେ ସମସ୍ତ ବଜେଟ୍ ସମ୍ପର୍କିତ ଦସ୍ତାବିଜ ୟୁନିୟନ୍ ବଜେଟ୍ ମୋବାଇଲ୍ ଆପ୍ ଓ ଅଧିକୃତ ୱେବସାଇଟ୍ରେ ସାଂସଦ ଏବଂ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ।





