ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସୁନା ଓ ରୁପା ଦାମ୍ ଐତିହାସିକ ସ୍ତରକୁ ପହଞ୍ଚିଛି। ପ୍ରଥମ ଥର ପାଇଁ ରୁପାର ଦର କିଲୋ ପିଛା ୪ ଲକ୍ଷ ଟଙ୍କା ଛୁଇଁଥିବା ବେଳେ, ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧,୫୩,୧୫୦ ଟଙ୍କାରେ ବିକ୍ରି ହେଉଛି।
ବୁଧବାର ରୁପା ଦାମ୍ କିଲୋ ପିଛା ୧୩ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ସ୍ତରକୁ ପହଞ୍ଚିଛି। ଗତ ତିନି ଦିନରେ ମାତ୍ର ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିବା ବେଳେ, ଚଳିତ ମାସ ୨୩ ତାରିଖ ପରଠାରୁ ମୋଟ ୬୦ ହଜାର ଟଙ୍କା ବୃଦ୍ଧି ଘଟିଛି।
ବିଶେଷଜ୍ଞମାନଙ୍କ ମତରେ, ଭୂରାଜନୈତିକ ଅସ୍ଥିରତା, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ ଆମେରିକା ସହ ବାଣିଜ୍ୟ ଚୁକ୍ତିରେ ବିଳମ୍ବ ହେଉଥିବାରୁ ରୁପା ଦାମ୍ ଲଗାତାର ବୃଦ୍ଧି ପାଉଛି। ତା’ସହିତ ଇଲେକ୍ଟ୍ରିକ୍ ଯାନ, ସୋଲାର ପ୍ରକଳ୍ପ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୁପାର ବ୍ୟବହାର ବଢ଼ିଥିବାରୁ ଚାହିଦା ଯୋଗାଣକୁ ଅଟିକ୍ରମ କରିଛି।
ରୁପା ସହ ସୁନା ଦାମ୍ ମଧ୍ୟ ଆକାଶଛୁଆଁ ହୋଇଛି। ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମକୁ ୪,୭୦୦ ଟଙ୍କା ବୃଦ୍ଧି ପାଇ ୧,୫୩,୧୫୦ ଟଙ୍କା ହୋଇଥିବା ବେଳେ, ୨୪ କ୍ୟାରେଟ୍ ସୁନାର ଦର ୫,୧୩୦ ଟଙ୍କା ବୃଦ୍ଧି ପାଇ ୧,୬୭,୦୮୦ ଟଙ୍କାକୁ ପହଞ୍ଚିଛି।
ଅନ୍ତର୍ଜାତୀୟ ବଜାରରେ ରୁପାର ଆଉନ୍ସ ପିଛା ଦାମ୍ ୧୧୩.୬୩ ଡଲାରରେ ରହିଥିବା ବେଳେ, ଚଳିତ ସପ୍ତାହରେ ଏହା ୧୧୭.୬୯ ଡଲାରର ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁଥିଲା। ଏହି ବର୍ଷ ମାତ୍ର ରୁପା ମୂଲ୍ୟରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି।
ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ପ୍ରଥମ ଥର ପାଇଁ ଆଉନ୍ସ ପିଛା ୫,୨୦୦ ଡଲାରକୁ ଅତିକ୍ରମ କରିଥିବା ବେଳେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦର ୧୦ ଗ୍ରାମକୁ ୧,୬୦,୫୦୯ ଟଙ୍କା ରେକର୍ଡ କରିଛି।





