ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଶିଳ୍ପପତି ଅନିଲ ଅମ୍ବାନୀ ସଂପୃକ୍ତ ରିଲାଏନ୍ସ ଗ୍ରୁପ୍ର ପ୍ରାୟ ୧୮୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହା ସହିତ ଏପର୍ଯ୍ୟନ୍ତ ଏହି ଗ୍ରୁପ୍ ସଂପୃକ୍ତ ମୋଟ ୧୨,୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ ହୋଇଛି ବୋଲି ଇଡି ସୂଚନା ଦେଇଛି।
ଇଡି ସୂତ୍ର ଅନୁଯାୟୀ, ସମ୍ପ୍ରତି ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ପ୍ରାୟ ୧୪୮ କୋଟି ଟଙ୍କାର ବ୍ୟାଙ୍କ ଜମା, ଶେୟାର, ମ୍ୟୁଚୁଆଲ ଫଣ୍ଡ୍ ନିବେଶ ଓ କିଛି ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ ଅଛି। ଏହି ସମସ୍ତ ସମ୍ପତ୍ତିକୁ ମନି ଲଣ୍ଡରିଂ ଆଇନ (PMLA) ଅନୁଯାୟୀ ଅସ୍ଥାୟୀ ଭାବେ ଜବତ କରାଯାଇଛି।
ଏକାଧିକ ଠକେଇ ମାମଲାରେ ତଦନ୍ତ
ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍, ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍, ୟେସ୍ ବ୍ୟାଙ୍କ ଋଣ ଠକେଇ ଓ ରିଲାଏନ୍ସ କମ୍ୟୁନିକେସନ୍ ସଂପୃକ୍ତ ଆର୍ଥିକ ଅନିୟମିତତା ମାମଲାକୁ କେନ୍ଦ୍ର କରି ଇଡି ଏହି ତଦନ୍ତ କରୁଛି।
ଇଡି କହିଛି ଯେ, କମ୍ପାନିର କିଛି ବରିଷ୍ଠ ଅଧିକାରୀଙ୍କ ନାମରେ ଥିବା ସମ୍ପତ୍ତିକୁ ମଧ୍ୟ ଏହି ମାମଲା ସହିତ ଯୋଡ଼ାଯାଇଛି। ଏହା ମଧ୍ୟରେ ରିଲାଏନ୍ସ ଗ୍ରୁପ୍ର ବରିଷ୍ଠ ଅଧିକାରୀ ଅଙ୍ଗରାଇ ସେତୁରମଣଙ୍କ ନାମରେ ଥିବା ଗୃହ ସମ୍ପତ୍ତି ଏବଂ ପୁନୀତ ଗର୍ଗଙ୍କ ନାମରେ ଥିବା ଶେୟାର ଓ ମ୍ୟୁଚୁଆଲ ଫଣ୍ଡ୍ ନିବେଶ ମଧ୍ୟ ଜବତ କରାଯାଇଛି।
ଇଡି ସୂଚନା ଦେଇଛି ଯେ, ମାମଲାର ତଦନ୍ତ ଚାଲୁ ରହିଛି ଏବଂ ଆଗାମୀ ଦିନରେ ଆହୁରି ସମ୍ପତ୍ତି ଜବତ କିମ୍ବା ପଚାରାଉଚାରା ହେବାର ସମ୍ଭାବନା ରହିଛି।





