ବିଶାଖାପାଟଣା: ଭାରତୀୟ କ୍ରିକେଟ୍ ଦଳର ବିଜୟ ଧାରାକୁ ନ୍ୟୁଜିଲାଣ୍ଡ ବ୍ରେକ୍ ଲଗାଇଛି। ବୁଧବାର ଖେଳାଯାଇଥିବା ୫ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲାରେ କିୱି ଦଳ ଭାରତକୁ ୫୦ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚ୍ ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିଲା।
୨୧୬ ରନ୍ର ବିଜୟ ଲକ୍ଷ୍ୟ ନେଇ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ମାଇଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ୧୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୫ ରନ୍ରେ ସୀମିତ ରହିଯାଇଥିଲା। ଫଳସ୍ୱରୂପ ନ୍ୟୁଜିଲାଣ୍ଡ ୫୦ ରନ୍ର ସ୍ପଷ୍ଟ ବିଜୟ ହାସଲ କରିଛି।
ଏହି ପରାଜୟ ସହିତ ଟି୨୦ ଶୃଙ୍ଖଳାର ସ୍ଥିତି ୩-୧ରେ ପହଞ୍ଚିଛି। ଶୃଙ୍ଖଳାର ପଞ୍ଚମ ଓ ଅନ୍ତିମ ମ୍ୟାଚ୍ ଆସନ୍ତା ୩୧ ତାରିଖରେ ତିରୁଅନନ୍ତପୁରମରେ ଖେଳାଯିବ।
ପ୍ରଥମେ ବ୍ୟାଟିଂ କରି ୨୧୫ ରନ୍ କଲା ନ୍ୟୁଜିଲାଣ୍ଡ
ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ଏହା ପରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା, ଯାହା ମ୍ୟାଚ୍ରେ ନିର୍ଣ୍ଣାୟକ ସାବିତ୍ର ହୋଇଥିଲା।





