ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତକୁ ଏକ ‘ବିକଶିତ ଦେଶ’ରେ ପରିଣତ କରିବା ଲକ୍ଷ୍ୟ ପୂରଣରେ କୃଷି ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ–୨୦୨୬ରେ ଉଲ୍ଲେଖ କରାଯାଇଛି। ଏହି ଲକ୍ଷ୍ୟ ସାଧନ ପାଇଁ କୃଷି କ୍ଷେତ୍ରରେ ସଂସ୍କାରକୁ ଆହୁରି ଦ୍ରୁତ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ସର୍ଭେରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନକୁ ମୁହାଁ ଦେବାରେ ସକ୍ଷମ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବୃଦ୍ଧି, କୃଷକ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦନର ବଜାର ବ୍ୟବସ୍ଥା ଓ ପରିବହନ ଭିତ୍ତିଭୂମିକୁ ମଜବୁତ କରିବା ଅତ୍ୟାବଶ୍ୟକ। ଏହା ସହିତ ଆପତ୍କାଳୀନ ପରିସ୍ଥିତିରେ ବଜାର ପରିଚାଳନା ଉପରେ ସରକାର ଅଧିକ ଧ୍ୟାନ ଦେବାକୁ ସର୍ଭେରେ ପ୍ରସ୍ତାବ ରହିଛି।

ଅର୍ଥନୈତିକ ସର୍ଭେରେ ବିଶେଷକରି ଦୁଗ୍ଧ ଉତ୍ପାଦନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ର ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଲଗାତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଆସୁଥିବା କଥା ଉଲ୍ଲେଖ କରାଯାଇଛି। ଆଗାମୀ ଦିନରେ ଏହି କ୍ଷେତ୍ରଗୁଡ଼ିକ ଦେଶର ଅର୍ଥନୈତିକ ବିକାଶର ମୂଳ ଆଧାର ହେବ ବୋଲି ସର୍ଭେରେ ଆଶା ବ୍ୟକ୍ତ କରାଯାଇଛି।