ଗୋପାଳପୁର: ଓଡ଼ିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ଆକ୍ରମଣ ହୋଇଛି, ସେତେବେଳେ ସବୁଠାରୁ ପ୍ରଥମେ ଗଞ୍ଜାମ ମାଟିରୁ ସଂଗ୍ରାମର ସ୍ବର ଉଠିଛି। ଏହି ଐତିହାସିକ ଭୂମିକା ଆଗାମୀ ଦିନରେ ‘ବିକଶିତ ଭାରତ–ବିକଶିତ ଓଡ଼ିଶା’ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସରମା ପାଢ଼ୀ।
ଗୁରୁବାର ସନ୍ଧ୍ୟାରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଥିଲେ ଯେ, ଆରମ୍ଭିକ ବର୍ଷଗୁଡ଼ିକରୁ ଏହି ମହୋତ୍ସବକୁ ସେ ଦେଖିଆସୁଛନ୍ତି। ଆଜିର ସମୁଦ୍ର ବନ୍ଦନା, ବିଶାଳ ମଞ୍ଚ ବିନ୍ୟାସ, ସାଂସ୍କୃତିକ ଉପସ୍ଥାପନା ଓ ଜନସମୁଦ୍ର ତାଙ୍କୁ ଗଭୀରଭାବେ ଅଭିଭୂତ କରିଛି।
ଗଞ୍ଜାମର ଗର୍ବ ଓ ଓଡ଼ିଆ ସଂସ୍କୃତିର ଗୌରବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନାମରେ ସମର୍ପିତ ମଞ୍ଚରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୃଦ୍ଧ ସଂସ୍କୃତି ସହ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳର କଳା ପ୍ରତିଭା ପ୍ରଦର୍ଶିତ ହେଉଥିବା ସେ କହିଥିଲେ। ସେ ସହିତ ଓଡ଼ିଶାର ବେଳାଭୂମିଗୁଡ଼ିକୁ ପରିଷ୍କାର ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ଗୋପାଳପୁର ମହୋଦଧି କୂଳରେ ମହାପ୍ରଭୁ ଓ ଦେବଦେବୀଙ୍କ ବନ୍ଦନା ସହ କଚ୍ଛପ ଦେବତାଙ୍କ ଆଗମନ ଏକ ଅଲୌକିକ ଓ ଦିବ୍ୟ ଅନୁଭୂତି। ଏହି ମହୋତ୍ସବ କେବଳ କଳା–ସଂସ୍କୃତି ନୁହେଁ, ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସମୃଦ୍ଧତାକୁ ମଧ୍ୟ ଉପସ୍ଥାପନ କରୁଛି ବୋଲି ସେ କହିଥିଲେ।
ମହୋତ୍ସବକୁ ବିଶ୍ୱସ୍ତରୀୟ କରିବା ଘୋଷଣା
ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ତଥା ମହୋତ୍ସବର ଉଦ୍ୟୋକ୍ତା ବିଭୂତି ଭୂଷଣ ଜେନା କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ଗୋପାଳପୁର ବେଳାଭୂମି ମହୋତ୍ସବକୁ ବିଶ୍ୱର ଏକ ଅନନ୍ୟ ମହୋତ୍ସବରେ ପରିଣତ କରାଯିବ।
ଦିଗପହଣ୍ଡି ବିଧାୟକ ତଥା ଲୋକପ୍ରିୟ କଳାକାର ଡ. ସିଦ୍ଧାନ୍ତ ମହାପାତ୍ର ଏହି ମହୋତ୍ସବକୁ ରାଜ୍ୟର ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦେବାକୁ ଦାବି କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ କହିଥିଲେ ଯେ, ଏକଦିନିଆ ଉତ୍ସବ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଏକ ବିଶାଳ ମହୋତ୍ସବରେ ପରିଣତ ହୋଇଛି।
ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନରେ ମନୋହର ସନ୍ଧ୍ୟା
କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ପୁଲିସ ମହାନିରୀକ୍ଷକ ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ଓ ଏସ୍ପି ଶୁଭେନ୍ଦୁ ପାତ୍ର ଉପସ୍ଥିତ ଥିଲେ।
ଓଡ଼ିଆ ଚଳଚିତ୍ର ଜଗତର ଖ୍ୟାତନାମା କଳାକାରମାନଙ୍କ ସହ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଦଳମାନଙ୍କ ଉପସ୍ଥାପନା ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜିତ କରିଥିଲା।





