ନୂଆଦିଲ୍ଲୀ, ୨୯।୧: ଚାରି ବର୍ଷ ଧରି ଚାଲିଥିବା ରୁଷ–ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଆଶା ଜାଗ୍ରତ ହୋଇଛି। ଏହି ପରିପ୍ରେକ୍ଷିତରେ କ୍ରେମଲିନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ପାଇଁ ମସ୍କୋ ଆସିବାକୁ ରୁଷିଆ ପୁନର୍ବାର ନିମନ୍ତ୍ରଣ ଜଣାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜୋରଦାର ହୋଇଥିବା ବେଳେ, ଏହି ନିମନ୍ତ୍ରଣକୁ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।

ଗତ ସପ୍ତାହରେ ଆବୁଧାବିରେ ଆମେରିକାର ମଧ୍ୟସ୍ଥତାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ଏହା ପରେ ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବାର ସମ୍ଭାବନା ବୃଦ୍ଧି ପାଇଥିବା ଜଣାପଡ଼ିଛି।

ରୁଷିଆ ପକ୍ଷରୁ କୁହାଯାଇଛି ଯେ, ଜେଲେନସ୍କି ମସ୍କୋ ଆସିଲେ ତାଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ନିଶ୍ଚିତ କରାଯିବ। ତେବେ ଏହି ନିମନ୍ତ୍ରଣକୁ ନେଇ ୟୁକ୍ରେନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

ଶାନ୍ତି ଆଲୋଚନା ନେଇ ଆଗ୍ରହ ଥିବା ସତ୍ତ୍ୱେ ସୀମା ବିବାଦ ଓ କବଜା କରାଯାଇଥିବା ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଗଭୀର ମତଭେଦ ରହିଛି। ବିଶେଷକରି ଜାପୋରିଜିଆ ପରମାଣୁ କେନ୍ଦ୍ର ଓ ଦୋନେସ୍କ ଅଞ୍ଚଳ ଉପରେ ଦାବିକୁ ନେଇ ବିବାଦ ଏପର୍ଯ୍ୟନ୍ତ ଜାରି ରହିଛି।

ଏହାମଧ୍ୟରେ ଆସନ୍ତା ରବିବାର (୧ ଫେବୃଆରୀ) ଆବୁଧାବିରେ ଦ୍ୱିତୀୟ ପର୍ଯ୍ୟାୟ ତ୍ରିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି।

ଉଲ୍ଲେଖନୀୟ ଯେ, ଗତ ବର୍ଷ ମଧ୍ୟ ରୁଷିଆ ଏପରି ଏକ ନିମନ୍ତ୍ରଣ ଦେଇଥିଲା, ଯାହାକୁ ଜେଲେନସ୍କି ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରତିଦିନ ଯୁକ୍ରେନ ଉପରେ ମିସାଇଲ ଆକ୍ରମଣ ଚାଲିଥିବା ଦେଶକୁ ଯିବା ସମ୍ଭବ ନୁହେଁ ବୋଲି ସେ କହିଥିବା ସହ ପୁଟିନଙ୍କୁ କିଏଭ୍‌ ଆସିବାକୁ ପ୍ରସ୍ତାବ ଦେଇଥିଲେ।