ଭୁବନେଶ୍ୱର, ୩୧।୧: ଆଧୁନିକ ସିନେମା ଯେଉଁଠାରେ ସଂଳାପ ଓ ଟେକ୍ନୋଲୋଜିର ଭରସାରେ ଆଗକୁ ବଢ଼ୁଛି, ସେଠାରେ ‘ଗାନ୍ଧୀ ଟକ୍ସ’ ନାମକ ଚଳଚ୍ଚିତ୍ର ନିର୍ବାକ୍ ଶୈଳୀ ମାଧ୍ୟମରେ ଏକ ଅଲଗା ପ୍ରୟାସ ଦେଖାଇଛି। ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଦିବସରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଆଧୁନିକ ସମାଜରେ ଧନଲୋଭ ଓ ଗାନ୍ଧୀୟ ମୂଲ୍ୟବୋଧ ମଧ୍ୟରେ ବଢ଼ୁଥିବା ଦୂରତାକୁ ପ୍ରଭାବଶାଳୀ ଭାବେ ଉପସ୍ଥାପନ କରିଛି।
ଚଳଚ୍ଚିତ୍ରର କାହାଣୀ ମୁମ୍ବାଇରେ ବସବାସ କରୁଥିବା ବେରୋଜଗାର ଯୁବକ ମହାଦେବଙ୍କୁ କେନ୍ଦ୍ର କରି ଆଗକୁ ବଢ଼ିଛି। ପ୍ରେମିକାଙ୍କୁ ବିବାହ କରିବା ପାଇଁ ଚାକିରି ଆବଶ୍ୟକ ହେଲେ ମଧ୍ୟ ସରକାରୀ ଚାକିରି ପାଇଁ ଲାଞ୍ଚ ଦାବି ତାଙ୍କୁ ଅସୁବିଧାରେ ପକାଇଦେଇଥାଏ। ଏହି ସମୟରେ ସେ ଜଣେ ପକେଟମାରଙ୍କ ସହିତ ପରିଚିତ ହୋଇ ଅନୈତିକ ପଥକୁ ଅନୁସରଣ କରିବାର ଯୋଜନା କରେ।
କାହାଣୀର ଅନ୍ୟ ମୁଖ୍ୟ ଚରିତ୍ର ହେଲେ ଧନୀ ବ୍ୟବସାୟୀ ବସ୍ମ୍ୟାନ୍, ଯିଏ ବ୍ୟକ୍ତିଗତ ଓ ବ୍ୟବସାୟିକ ସମସ୍ୟାରେ ଜଡ଼ି ପଡ଼ି ଜୀବନରେ ଭାରି ଆଘାତ ସହିଛନ୍ତି। ଏହି ପରିସ୍ଥିତିରେ ମହାଦେବ ଓ ଚୋରଙ୍କ ସହ ଘଟୁଥିବା ଘଟଣାବଳୀ କାହାଣୀକୁ ଆଗକୁ ନେଇଯାଏ। ଚଳଚ୍ଚିତ୍ରରେ ହାସ୍ୟ ଓ କରୁଣାର ମିଶ୍ରଣ ସହିତ ସମାଜର ଭ୍ରଷ୍ଟାଚାରକୁ ବ୍ୟଙ୍ଗାତ୍ମକ ଭାବେ ଦେଖାଯାଇଛି।
ସଂଳାପ ବିନା ନିର୍ମିତ ଏହି ଫିଲ୍ମରେ ଅଭିନେତାମାନେ ମୁଖଭାବ ଓ ଅଭିନୟ ମାଧ୍ୟମରେ ଭାବନାକୁ ପ୍ରକାଶ କରିଛନ୍ତି। ବିଜୟ ସେତୁପତି ନାୟକ ଭୂମିକାରେ ମନୋବଳ, ନିରାଶା ଓ ପ୍ରେମକୁ ସୁନ୍ଦର ଭାବେ ଦେଖାଇଥିବାବେଳେ ଅଦିତି ରାଓ ହୈଦରୀ ଓ ଅରବିନ୍ଦ ସ୍ବାମୀ ମଧ୍ୟ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିତିଛନ୍ତି।
ଚଳଚ୍ଚିତ୍ରର ପୃଷ୍ଠଭୂମି ସଙ୍ଗୀତ ଏ.ଆର୍. ରହମାନଙ୍କ ଦ୍ୱାରା ସଂଗୀତବଦ୍ଧ ହୋଇଥିବାରୁ ନିର୍ବାକ୍ ଦୃଶ୍ୟଗୁଡ଼ିକୁ ଭାବପ୍ରବଣ କରିଛି। ଅରିଜିତ ସିଂହଙ୍କ ଗାଇଥିବା ଗୀତମାନେ ଫିଲ୍ମକୁ ଆହୁରି ଆକର୍ଷଣୀୟ କରିଛି।
ନିର୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଏହି ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ନିର୍ବାକ୍ ସିନେମାର ପରମ୍ପରାକୁ ସ୍ମରଣ କରାଇଛନ୍ତି। ପ୍ରସିଦ୍ଧ ନିର୍ବାକ୍ ଫିଲ୍ମ ‘ପୁଷ୍ପକ ବିମାନ’ର ପ୍ରଭାବ ଏଥିରେ ଦେଖିବାକୁ ମିଳେ। ସେହି ସହ ଭାରତୀୟ ସିନେମାର ଜନକ ଦାଦାସାହେବ ଫାଲ୍କେଙ୍କୁ ମଧ୍ୟ ଏହା ଶ୍ରଦ୍ଧାଞ୍ଜଳି ଜଣାଇଛି।
ଚଳଚ୍ଚିତ୍ରଟି ଶେଷରେ ଗାନ୍ଧୀଙ୍କ ମୂଲ୍ୟବୋଧକୁ ଉପସ୍ଥାପନ କରି ଦର୍ଶକଙ୍କୁ ସକାରାତ୍ମକ ବାର୍ତ୍ତା ଦେଇଥାଏ। ନୂତନ ଧାରାର ଏହି ପ୍ରୟାସ ସିନେପ୍ରେମୀଙ୍କ ପାଇଁ ଏକ ଅନନ୍ୟ ଅନୁଭବ ହେବା ସହିତ ନିର୍ଦେଶକଙ୍କ ସାହସିକ ପଦକ୍ଷେପ ଭାବେ ଗଣ୍ୟ ହେଉଛି।
ଚଳଚ୍ଚିତ୍ର: ଗାନ୍ଧୀ ଟକ୍ସ
ନିର୍ଦେଶକ: କିଶୋର ପାଣ୍ଡୁରଙ୍ଗ ବେଲେକର
ଅଭିନୟରେ: ବିଜୟ ସେତୁପତି, ଅଦିତି ରାଓ ହୈଦରୀ, ଅରବିନ୍ଦ ସ୍ବାମୀ, ସିଦ୍ଧାର୍ଥ ଯାଦବ





