ଭୁବନେଶ୍ୱର: ଆସାମର ଗୌହାଟୀରେ ଓଡ଼ିଶା ପରବ–୨୦୨୬ ଉଦ୍‌ଘାଟିତ ହୋଇଛି। ପର୍ଯ୍ୟଟନ ବିଭାଗ ଓ ସହଯୋଗୀ ସଂସ୍ଥା ଫିକିର ଆନୁକୂଲ୍ୟରେ ଆୟୋଜିତ ଏହି ପରବ ତିନିଦିନ ଧରି ଚାଲିବ। ଏଥିରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ, ହସ୍ତତନ୍ତ, ଖାଦ୍ୟ ସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶନ କରାଯାଉଛି।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପରବକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଏପରି ଅଭିଯାନ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ବୈଭବକୁ ଅନ୍ୟ ରାଜ୍ୟରେ ପ୍ରଚାର କରାଯାଉଥିବା ଗର୍ବର ବିଷୟ। ଏଥିଦ୍ୱାରା ଆନ୍ତର୍ରାଜ୍ୟ ସମ୍ପର୍କ ଦୃଢ଼ ହେବା ସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଆହୁରି ସୁଦୃଢ଼ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

ଉଦ୍‌ଘାଟନୀ ଅବସରରେ ଆସାମ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଦିଗନ୍ତ ବରାହ ଯୋଗଦେଇ ଆନ୍ତର୍ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନରେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ ଦୁଇ ରାଜ୍ୟ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ଘନିଷ୍ଠତା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଏହି ପରବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ହସ୍ତଶିଳ୍ପ–ବୟନ–ହସ୍ତତନ୍ତ ବିଭାଗ, ଓର୍ମାସ୍‌ ଓ ମିଶନ ଶକ୍ତି ବିଭାଗର ସହଯୋଗରେ ଆୟୋଜନ କରାଯାଇଛି। ଏହା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବରିଷ୍ଠ ଅଧିକାରୀ, ଶିଳ୍ପପତି, ଟୁର୍‌ ଅପରେଟର, ପ୍ରବାସୀ ଓଡ଼ିଆ ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ।

ଏହି ପରବ ମାଧ୍ୟମରେ ଶିଳ୍ପୀ, କାରିଗର ଓ ପର୍ଯ୍ୟଟନ ସଂପୃକ୍ତ ଅଂଶୀଦାରମାନଙ୍କୁ ଗୋଟିଏ ମଞ୍ଚରେ ଆଣି ଭାବବିନିମୟ ଓ ବ୍ୟବସାୟିକ ସଯୋଗ ସୃଷ୍ଟି କରାଯାଉଛି।