ଭୁବନେଶ୍ୱର: ଦେଶୀୟ ବଜାରରେ ସୁନା ଓ ରୁପା ଦରରେ ଲଗାତାର ହ୍ରାସ ଧାରା ଜାରି ରହିଛି। ଶୁକ୍ରବାର ପରେ ଶନିବାର ମଧ୍ୟ ମୂଲ୍ୟରେ ବଡ଼ ପତନ ଦେଖାଯାଇଛି। ଆଜି ୧୦ ଗ୍ରାମ ପ୍ରତି ସୁନା ଦର ପ୍ରାୟ ୯ ହଜାର ଟଙ୍କା କମିଛି।
ତାହାଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୧,୬୦,୫୮୦ ଟଙ୍କାକୁ ଖସିଆସିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୭,୯୦୦ ଟଙ୍କା କମି ୧,୪୭,୨୦୦ ଟଙ୍କାରେ ପହଞ୍ଚିଛି।
ରୁପା ଦରରେ ମଧ୍ୟ ଅସାମାନ୍ୟ ପତନ ଦେଖାଯାଇଛି। ଶନିବାର ଦୁଇ ପର୍ଯ୍ୟାୟରେ ମୋଟ ୮୫ ହଜାର ଟଙ୍କା କମିଛି। ପ୍ରଥମେ ଦିନବେଳେ କିଲୋପିଛା ୪୫ ହଜାର ଟଙ୍କା ହ୍ରାସ ହୋଇଥିଲା, ପରେ ସନ୍ଧ୍ୟାରେ ଆଉ ୩୦ ହଜାର ଟଙ୍କା କମିବାରୁ ଭୁବନେଶ୍ୱର ବଜାରରେ ରୁପା ଦର କିଲୋପିଛା ୩,୨୦,୦୦୦ ଟଙ୍କାକୁ ଖସିଆସିଛି।
ବଜାର ବିଶ୍ଳେଷକମାନଙ୍କ କହିବା ଅନୁସାରେ, ଗତ ଦୁଇ ଦିନ ମଧ୍ୟରେ ରୁପା ଦର ପ୍ରାୟ ୧,୦୭,୦୦୦ ଟଙ୍କା ହ୍ରାସ ପାଇଛି। ସେହିପରି ସୁନା ଦର ମଧ୍ୟ ପ୍ରାୟ ୧୮ ହଜାର ଟଙ୍କା କମିଛି।
ବିଶ୍ୱ ବଜାରରେ ମୂଲ୍ୟ ପତନ, ନିବେଶକଙ୍କ ବିକ୍ରୟ ଚାପ ଓ ଆମେରିକୀୟ ମୁଦ୍ରାନୀତି ସମ୍ପର୍କିତ ଘୋଷଣା ପରେ ଲାଭ ବୁକ୍ କରିବା ପାଇଁ ବଡ଼ ପରିମାଣରେ ବିକ୍ରୟ ହେଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ପଡ଼ିଥିବା କୁହାଯାଉଛି।





