ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୦୨୭ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିଛନ୍ତି। ‘ସବକା ସାଥ୍, ସବକା ବିକାଶ’ ଦୃଷ୍ଟିକୋଣକୁ ଆଗେଇ ନେଇ ସମସ୍ତ ବର୍ଗଙ୍କୁ ସମାନ ସୁଯୋଗ ଦେବାକୁ ଏହି ପଦକ୍ଷେପ ନିଆଯାଇଛି।
ଘୋଷିତ ଯୋଜନାମାନଙ୍କ ମଧ୍ୟରୁ ପ୍ରଥମଟି ହେଉଛି ‘ଦିବ୍ୟାଙ୍ଗ କୌଶଳ ଯୋଜନା’। ଏହି ଯୋଜନା ଅନୁସାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଶିଳ୍ପ-ଉପଯୋଗୀ ଓ ଚାକିରିମୁଖୀ ତାଲିମ ପ୍ରଦାନ କରାଯିବ। ସୂଚନା ପ୍ରଯୁକ୍ତି (ଆଇଟି), ଏଭିଜିସି, ଆତିଥ୍ୟ, ଖାଦ୍ୟ ଓ ପାନୀୟ ସେବା ପରି କ୍ଷେତ୍ରରେ କାର୍ଯ୍ୟ-ଆଧାରିତ ଓ ପ୍ରକ୍ରିୟାମୂଳକ ଭୂମିକା ପାଇଁ ବିଶେଷ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିବ୍ୟାଙ୍ଗ ବର୍ଗର ଆବଶ୍ୟକତା ଅନୁଯାୟୀ କୋର୍ସ ତିଆରି କରାଯିବାର ବ୍ୟବସ୍ଥା ରହିଛି, ଯାହା ଦ୍ୱାରା ସମ୍ମାନଜନକ ଜୀବିକା ସୁଯୋଗ ସୃଷ୍ଟି ହେବ।
ଦ୍ୱିତୀୟ ଯୋଜନା ‘ଦିବ୍ୟାଙ୍ଗ ସହାରା ଯୋଜନା’ ମାଧ୍ୟମରେ ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଙ୍କୁ ଉଚ୍ଚମାନର ସହାୟକ ଉପକରଣ ସମୟମତେ ଯୋଗାଇବାକୁ ଗୁରୁତ୍ୱ ଦିଆଯାଇଛି। ସହାୟକ ଉପକରଣକୁ ମୌଳିକ ଆବଶ୍ୟକତା ଭାବେ ଧରି ଏହାର ଉତ୍ପାଦନ ଓ ବିତରଣ ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ।
ଏହି ପରିପ୍ରେକ୍ଷିତରେ ଅଲିମକୋ (ALIMCO)କୁ ସହାୟକ ସାମଗ୍ରୀ ଉତ୍ପାଦନ, ଗବେଷଣା ଓ ବିକାଶ ସହ ଏଆଇ ସଂଯୋଜିତ ପ୍ରଯୁକ୍ତିରେ ବିନିଯୋଗ ପାଇଁ ସମର୍ଥନ ମିଳିବ। ସେଥିପାଇଁ ପିଏମ ଦିବ୍ୟାଶା କେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରାଯିବ।
ଏହା ସହ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ’ ସ୍ଥାପନ ପ୍ରସ୍ତାବ ମଧ୍ୟ ରହିଛି। ଏହି କେନ୍ଦ୍ରଗୁଡ଼ିକ ଆଧୁନିକ ରିଟେଲ୍ ମଡେଲ୍ରେ କାର୍ଯ୍ୟ କରିବ ଓ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ସହାୟକ ଉପକରଣ ଦେଖିବା, ପରୀକ୍ଷା କରିବା ଓ କ୍ରୟ କରିବାର ସୁବିଧା ପାଇବେ।





