ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରି ୧୮ ତାରିଖରୁ ରାଜ୍ୟରେ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଫେବ୍ରୁଆରି ୧୯ରୁ ବାର୍ଷିକ ମାଧ୍ୟମିକ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ନେଇ ପରୀକ୍ଷା ପରିଚାଳନାର ସମଗ୍ର ପ୍ରସ୍ତୁତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ।
ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ସତର୍କ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ ଏହି ଦାୟିତ୍ୱକୁ ଗମ୍ଭୀରତାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ବୈଠକରେ ଯୋଗ ଦେଇଥିଲେ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ସଚିବ ଡଃ. ଏନ୍. ତିରୁମାଳା ନାଏକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା, ଉପ-ଶାସନ ସଚିବ ଯଶବନ୍ତ ସାମଲ ଉପସ୍ଥିତ ଥିଲେ। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଅମୁଲ୍ୟ କୁମାର ପ୍ରଧାନ ଓ ପରୀକ୍ଷା ନିୟନ୍ତ୍ରକ ଚକ୍ରଧର ବେହେରା ପରୀକ୍ଷା ପରିଚାଳନା ବିଷୟରେ ବିସ୍ତୃତ ତଥ୍ୟ ରଖିଥିଲେ।
ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ କଳାରେ ୨,୫୬,୭୦୭, ବାଣିଜ୍ୟରେ ୨୪,୬୨୧, ବିଜ୍ଞାନରେ ୧,୧୪,୩୬୩ ଓ ଧନ୍ଦାମୂଳକ ଶିକ୍ଷାରେ ୫,୯୩୨ — ମୋଟ ୪,୧୬,୬୨୩ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ଏହି ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍, ୧୩୫୭ଟି କେନ୍ଦ୍ର ଓ ୭ଟି ଉପକେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ୧୮ ଫେବ୍ରୁଆରିରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ୨୩ ଦିନ ଧରି ଚାଲିବ।
ମାଧ୍ୟମିକ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ୨ ମାର୍ଚ୍ଚରେ ସମାପ୍ତ ହେବ। ଏଥିରେ ୫,୪୬,୮୭୫ ଜଣ ଯୋଗ ଦେବେ। ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାକୁ ମିଶାଇ ମୋଟ ୫,୬୧,୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସମଗ୍ର ରାଜ୍ୟରେ ୩୨୨ଟି ନୋଡାଲ ସେଣ୍ଟର, ୩୦୮୨ଟି ପରୀକ୍ଷା କେନ୍ଦ୍ର ଓ ୫୦ଟି ଉତ୍ତରପତ୍ର ମୂଲ୍ୟାଙ୍କନ କେନ୍ଦ୍ର ରହିଛି।
ପ୍ରଶ୍ନପତ୍ର ପରିବହନରୁ ଆରମ୍ଭ କରି ଉତ୍ତରପତ୍ର ସଂଗ୍ରହ ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା, ସିସିଟିଭି ନିରୀକ୍ଷଣ ଓ ଶସ୍ତ୍ରଧାରୀ ପୋଲିସ୍ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି।





