ମୁମ୍ବାଇ: ଚଳିତ ଟି-୨୦ ବିଶ୍ୱକପ୍ ଅବସରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାର ପ୍ରମିତା ମହାପାତ୍ର ପଡ଼ିଆ ଉପସ୍ଥାପିକା ଭାବେ ଦାୟିତ୍ୱ ତୁଳାଇ ରାଜ୍ୟ ପାଇଁ ଗର୍ବର କାରଣ ହୋଇଛନ୍ତି। ତାରକା ଖଚିତ ଏହି କାର୍ଯ୍ୟକ୍ରମରେ ସେ ସଫଳତାର ସହ ଉପସ୍ଥାପନା କରିଥିଲେ।
ପୂର୍ବରୁ ମଧ୍ୟ ପ୍ରମିତା ଗତବର୍ଷର ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଏହିପରି ଦାୟିତ୍ୱ ନିଭାଇ ସ୍ତୁତି ଅର୍ଜନ କରିଥିଲେ। ଏବେ ପୁଣିଥରେ ଟି-୨୦ ବିଶ୍ୱକପ୍ ମଞ୍ଚରେ ତାଙ୍କ ଉପସ୍ଥିତି ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କୁ ଗୌରବାନ୍ୱିତ କରିଛି।
ଶନିବାର ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା, ପ୍ରସିଦ୍ଧ ଡ୍ରମର୍ ଶିବମଣି, ସଙ୍ଗୀତ ନିର୍ଦ୍ଦେଶକ ଓ ପପ୍ ଗାୟକ ବାଦଶାହ, ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ସେମାନଙ୍କ ମଧ୍ୟରେ ପ୍ରମିତାଙ୍କ ସୁଚାରୁ ଉପସ୍ଥାପନା ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା।
ସୂଚନାଯୋଗ୍ୟ ଯେ, କ୍ରୀଡ଼ା ଭିତ୍ତିକ ପ୍ରତିଯୋଗିତା ଜିତିବା ପରେ ପ୍ରମିତା ଜାତୀୟ ସ୍ତରରେ ଜଣେ ସଫଳ କ୍ରୀଡ଼ା ଉପସ୍ଥାପିକା ଭାବେ ପରିଚିତ ହୋଇଛନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ସେ ବିଶ୍ୱ କ୍ରିକେଟ୍ ମଞ୍ଚରେ ନିଜ ପାଇଁ ଅଲଗା ପରିଚୟ ଗଢ଼ିଛନ୍ତି ଏବଂ ବିଭିନ୍ନ କ୍ରୀଡ଼ା ଆୟୋଜନରେ ଉପସ୍ଥାପିକା ଭାବେ କାମ କରିସାରିଛନ୍ତି।
ଏହାସହ ଚଳିତ ଟି-୨୦ ବିଶ୍ୱକପ୍ରେ ଓଡ଼ିଆ ପୁଅ ପ୍ରସନ୍ନ କୁମାର ପ୍ରଧାନ ଇଏସ୍ପିଏନ୍ ଷ୍ଟାର୍ ସ୍ପୋର୍ଟସ ପକ୍ଷରୁ କ୍ୟାମେରାମ୍ୟାନ୍ ଭାବେ ଦାୟିତ୍ୱ ନିଭାଇଥିବାରୁ ଏହା ରାଜ୍ୟ ପାଇଁ ଆଉ ଏକ ଖୁସିର ସମ୍ବାଦ ହୋଇଛି।





