ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିବା ପରେ ସୋମବାର ସକାଳୁ ଆତଙ୍କ ଚାପ ସୃଷ୍ଟି ହୋଇଛି। ସକାଳ ପ୍ରାୟ ୮.୩୦ରୁ ୯ଟା ମଧ୍ୟରେ ଧମକପୂର୍ଣ୍ଣ ଫୋନ୍ ଓ ଇମେଲ୍ ଆସିଥିବା ସୂଚନା ମିଳିଛି। ଖବର ପାଇ ସମ୍ପୃକ୍ତ ସ୍କୁଲ ପ୍ରଶାସନ ତୁରନ୍ତ ଦିଲ୍ଲୀ ପୁଲିସକୁ ଜଣାଇଥିଲେ।
ପରବର୍ତ୍ତୀ କ୍ଷଣରେ ପୁଲିସ, ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ସଂପୂର୍ଣ୍ଣ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାକୁ ଗୁରୁତ୍ୱ ଦେଇ କେତେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ଓ କିଛି ସ୍କୁଲ ଅସ୍ଥାୟୀ ଛୁଟି ଘୋଷଣା କରିଥିଲେ। ଅଭିଭାବକମାନଙ୍କୁ ମଧ୍ୟ ତୁରନ୍ତ ସୂଚିତ କରାଯାଇଛି।
ପ୍ରାଥମିକ ତଦନ୍ତରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ସତ୍ତ୍ୱେ ପୁଲିସ ଘଟଣାକୁ ଗୁରୁତ୍ୱ ସହ ନେଇଛି। ଧମକ ମେସେଜ୍ର ଉତ୍ସ ଓ ପ୍ରେରକଙ୍କ ପରିଚୟ ଖୋଜିବା ପାଇଁ ସାଇବର ଟିମ୍ ଓ ପ୍ରଯୁକ୍ତିକ ଦଳକୁ ତଦନ୍ତରେ ଯୋଡ଼ାଯାଇଛି।
ଧମକ ଇମେଲ୍ରେ ସଂସଦ ଭବନକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା କଥା ଉଲ୍ଲେଖ ରହିଛି। ଏହା ପରେ ସଂସଦ ପରିସରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି।
ଧମକ ପାଇଥିବା ସ୍କୁଲମାନଙ୍କ ମଧ୍ୟରେ ଦିଲ୍ଲୀ କ୍ୟାଣ୍ଟ, ରୋହିଣୀ, ସାଦିକ୍ ନଗର, ଲୋଧି ରୋଡ୍ ଓ ଅନ୍ୟାନ୍ୟ ଅଞ୍ଚଳର କିଛି ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି। ପୂର୍ବରୁ ମଧ୍ୟ ଏପରି ମିଥ୍ୟା ଧମକ ଘଟଣା ଦେଖିବାକୁ ମିଳିଥିବାରୁ ପୁଲିସ ଗୁଜବକୁ ଅଣଦେଖା କରି ଆଧିକାରିକ ସୂଚନାକୁ ମାତ୍ର ବିଶ୍ୱାସ କରିବାକୁ ଅନୁରୋଧ କରିଛି।





