ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର୍ ନିର୍ମାତା Maruti Suzuki India Limited ତାଙ୍କର ନୂତନ ଇଲେକ୍ଟ୍ରିକ୍ ଏସ୍‌ୟୁଭି ‘ଇ-ଭିଟାରା’ର ମୂଲ୍ୟ ଆଜି ଘୋଷଣା କରିଛି। କମ୍ପାନି ପକ୍ଷରୁ ଜଣାଯାଇଛି ଯେ, ବ୍ୟାଟେରି-ଆଜ୍-ଏ-ସର୍ଭିସ (Battery-as-a-Service) ମଡେଲ୍‌ ସହିତ ଏହି ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କା ରହିଛି।

କମ୍ପାନି ଅନୁସାରେ, ବ୍ୟାଟେରି ବ୍ୟବହାର ପାଇଁ ପ୍ରତି କିଲୋମିଟରକୁ ୩ ଟଙ୍କା ୯୯ ପଇସା ଅତିରିକ୍ତ ଶୁଳ୍କ ଗ୍ରହଣ କରାଯିବ। ଗତ ଡିସେମ୍ବର ମାସରେ ଇ-ଭିଟାରାର ଉନ୍ମୋଚନ କରାଯାଇଥିଲା। ଯଦିଓ ପ୍ରାରମ୍ଭିକ ମୂଲ୍ୟ ଘୋଷଣା କରାଯାଇଛି, ତଥାପି ଅନ୍ୟାନ୍ୟ ଭାରିଆଣ୍ଟ୍‌ର ଦାମ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

୨୦୨୫ ଅଗଷ୍ଟରୁ ଏହି ଗାଡ଼ିର ଉତ୍ପାଦନ ଆରମ୍ଭ ହୋଇଥିବାବେଳେ, ୨୦୨୫ ଶେଷ ପର୍ଯ୍ୟନ୍ତ ପ୍ରାୟ ୧୩ ହଜାର ଇ-ଭିଟାରା ୨୮ଟି ଦେଶକୁ ରପ୍ତାନି କରାଯାଇଛି। ଏହି ମଡେଲ୍‌ଟି Suzuki Motor Corporationଙ୍କ ଦ୍ୱାରା Toyota Motor Corporation ସହଯୋଗରେ ବିକଶିତ ହୋଇଥିବାବେଳେ ଏହାର ଉତ୍ପାଦନ ଭାରତରେ କରାଯାଉଛି।

କମ୍ପାନି ଦାବି କରିଛି ଯେ, ଇ-ଭିଟାରାର ସର୍ବାଧିକ ରେଞ୍ଜ ୫୪୩ କିମି ପର୍ଯ୍ୟନ୍ତ ରହିବ। ଏହି ଏସ୍‌ୟୁଭି ଡେଲ୍‌ଟା, ଜେଟା ଓ ଆଲ୍‌ଫା ଭଳି ୩ଟି ଭାରିଆଣ୍ଟ୍‌ରେ ବଜାରକୁ ଆସିବ। ସେହିପରି ୪୯ କେଡବ୍ଲୁଏଚ୍‌ ଓ ୬୧ କେଡବ୍ଲୁଏଚ୍‌—ଏମିତି ଦୁଇଟି ବ୍ୟାଟେରି ପ୍ୟାକ୍‌ ବିକଳ୍ପ ମଧ୍ୟ ଉପଲବ୍ଧ ରହିବ।

ଇଲେକ୍ଟ୍ରିକ୍ ଗାଡ଼ି ବଜାରରେ ମାରୁତି ସୁଜୁକିଙ୍କ ପ୍ରବେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।