ଭୁବନେଶ୍ୱର, ୨୧।୨: ରାଜ୍ୟରେ ମଦ ବିକ୍ରୟ ପ୍ରଣାଳୀରେ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଶନିବାର ଗୃହରେ ଉତ୍ତର ଦେଇ ଅବକାରୀ ମନ୍ତ୍ରୀ Prithviraj Harichandan କହିଛନ୍ତି ଯେ, ଏଣିକି କାଚ ବୋତଲ ପରିବର୍ତ୍ତେ ମୋଟା କାଗଜ ଖୋଳ (ଟେଟ୍ରା ପ୍ୟାକ୍‌)ରେ ମଦ ଉପଲବ୍ଧ କରାଯିବ।

ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍‌ ବ୍ୟବହାର କଲେ ପରିବେଶ ଉପରେ ଚାପ କମିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିପରି ସରକାର କାଚ ବୋତଲର ପୁନଃବ୍ୟବହାରକୁ ମଧ୍ୟ ଉତ୍ସାହିତ କରୁଥିବା କଥା ଉଲ୍ଲେଖ କରିଛନ୍ତି।

ରାଜ୍ୟରେ ବଢ଼ୁଛି ମଦ ବିକ୍ରି

ମନ୍ତ୍ରୀଙ୍କ ତଥ୍ୟାନୁସାରେ, ଗତ ୧୦ ମାସରେ ରାଜ୍ୟବାସୀ ପ୍ରାୟ ୬,୫୬୯ କୋଟି ଟଙ୍କାର ମଦ କ୍ରୟ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ମଦ ବିକ୍ରିରୁ ୭,୨୧୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବାବେଳେ, ୨୦୨୪-୨୫ରେ ଏହା ବଢ଼ି ୮,୧୯୫ କୋଟି ଟଙ୍କାକୁ ପହଞ୍ଚିଛି।

ରାଜ୍ୟରେ ବଢ଼ୁଥିବା ମଦ ବିକ୍ରି ଓ ପରିବେଶ ସୁରକ୍ଷା ମଧ୍ୟରେ ସମତୁଳନ ରଖିବା ପାଇଁ ଏହି ନୂତନ ପ୍ୟାକେଜିଂ ପ୍ରଣାଳୀ କିପରି କାର୍ଯ୍ୟକାରୀ ହେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।