ଚେନ୍ନାଇ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଭାରତ ଆଉ ଏକ ଦମଦାର ପ୍ରଦର୍ଶନ କରି ଜିମ୍ବାୱେକୁ ୭୨ ରନ୍‌ରେ ପରାସ୍ତ କରିଛି। ବିଶାଳ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ପଛୁଆ କରିଥିବା ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୮୪ ରନ୍‌ରେ ସୀମିତ ରହିଥିଲା।

ଜିମ୍ବାୱେ ପକ୍ଷରୁ ଓପେନର ବ୍ରାଏନ୍‌ ବେନେଟ ଶେଷ ପର୍ଯ୍ୟନ୍ତ ଦୃଢ଼ ଲଢେଇ କରିଥିଲେ। ସେ ୫୯ଟି ବଲ୍‌ରେ ୮ଟି ଚୋଉକା ଓ ୬ଟି ଛକା ସହ ୯୭ ରନ୍‌ର ଆକର୍ଷଣୀୟ ପାରି ଖେଳିଥିଲେ, କିନ୍ତୁ ଦଳକୁ ବିଜୟ ଦେଇପାରିନଥିଲେ।

ଭାରତୀୟ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ। ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍‌ ଦଖଳ କରିଥିବାବେଳେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଶିଭମ ଦୁବେ ପ୍ରତ୍ୟେକ ଗୋଟିଏ କରି ସଫଳତା ଲାଭ କରିଥିଲେ।

ଏହା ପୂର୍ବରୁ ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ଟସ୍‌ ଜିତି ପ୍ରଥମେ ବୋଲିଂ ବାଛିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୨୫୬ ରନ୍‌ର ବିଶାଳ ସ୍କୋର ଗଢ଼ିଥିଲା। ଚଳିତ ବିଶ୍ୱକପ୍‌ରେ ଏହା କୌଣସି ଦଳର ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଛି।

ଭାରତ ପାଇଁ ଅଭିଷେକ ଶର୍ମା ୫୫ ରନ୍‌ର ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ୍‌ କରିଥିବାବେଳେ ତିଲକ ବର୍ମା ମଧ୍ୟ ଅପରାଜିତ ୪୪ ରନ୍‌ ଯୋଗ କରିଥିଲେ।

ଇନିଂସ୍‌ ଆରମ୍ଭରେ ସଂଜୁ ସାମସନ ଓ ଅଭିଷେକ ଶର୍ମା ପ୍ରଥମ ୱିକେଟ୍‌ ପାଇଁ ୪୮ ରନ୍‌ର ଭଲ ଭାଗିଦାରୀ କରିଥିଲେ। ସଂଜୁ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ଈଶାନ କିଶନ ଓ ଅଭିଷେକ ଦ୍ୱିତୀୟ ୱିକେଟ୍‌ ପାଇଁ ୭୨ ରନ୍‌ ଯୋଗ କରି ଦଳକୁ ଶକ୍ତ ଭିତ୍ତି ଦେଇଥିଲେ। ଏହି ସମୟରେ ଅଭିଷେକ ମାତ୍ର ୨୬ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ।