ଚେନ୍ନାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଏବଂ ଟିଭିକେ (TVK) ମୁଖ୍ୟ ବିଜୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ୍‌ ୨୭ ବର୍ଷର ବୈବାହିକ ସମ୍ପର୍କ ଶେଷ କରିବା ପାଇଁ ଛାଡ଼ପତ୍ର ଆବେଦନ କରିଥିବା ସୂଚନା ମିଳିଛି।

ସୂଚନାନୁସାରେ, ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ ବନ୍ଧନରେ ବାନ୍ଧିଥିଲେ। ଦମ୍ପତିଙ୍କର ଜାସନ୍ ସଞ୍ଜୟ ଓ ଦିବ୍ୟା ଶାଶା ନାମରେ ଦୁଇଜଣ ସନ୍ତାନ ଅଛନ୍ତି। ଦୀର୍ଘଦିନ ଧରି ଦୁହେଁ ଅଲଗା ରହୁଥିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ ଛାଡ଼ପତ୍ର ଆବେଦନ ଖବର ଆଲୋଚନାକୁ ଆହୁରି ତେଜ କରିଛି।

ଆବେଦନପତ୍ରରେ ସଙ୍ଗୀତା ଅଭିଯୋଗ କରିଛନ୍ତି ଯେ, ବିଜୟ ଜଣେ ଅଭିନେତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କରେ ରହିଥିବା ସହ ବିଦେଶ ଗସ୍ତ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ସାଥିରେ ଯୋଗଦେଉଛନ୍ତି, ଯାହା ତାଙ୍କ ଓ ସନ୍ତାନମାନଙ୍କ ପାଇଁ ଅପମାନଜନକ ପରିସ୍ଥିତି ସୃଷ୍ଟି କରିଛି। ସେ ଆହୁରି ଦାବି କରିଛନ୍ତି ଯେ ପୂର୍ବରୁ ମିଳୁଥିବା କିଛି ସୁବିଧା ମଧ୍ୟ ପ୍ରତ୍ୟାହାର କରାଯାଇଛି।

ବ୍ୟଭିଚାର ଓ ମାନସିକ ନିଷ୍ଠୁରତା ଅଭିଯୋଗ ଆଧାରରେ ସଙ୍ଗୀତା ‘ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ–୧୯୫୪’ ଅନୁସାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମାମଲାଟି ବର୍ତ୍ତମାନ ସମ୍ପର୍କିତ ଜିଲ୍ଲା ଆଦାଲତରେ ବିଚାରାଧୀନ ରହିଛି।

ଉଲ୍ଲେଖନୀୟ ଯେ, ତାମିଲନାଡ଼ୁର ଜଣେ ଶିଳ୍ପପତିଙ୍କ କନ୍ୟା ସଙ୍ଗୀତା ବିବାହ ପୂର୍ବରୁ ବିଜୟଙ୍କ ଭକ୍ତ ଥିଲେ। ଉଭୟଙ୍କ ବିବାହ ହିନ୍ଦୁ ଓ ଖ୍ରୀଷ୍ଟିଆନ ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା।