ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ତଣାତଣି ମଧ୍ୟରେ ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ୨୦୨୬ ମସିହା ସମ୍ବନ୍ଧୀୟ ଭବିଷ୍ୟବାଣୀ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ବର୍ତ୍ତମାନର ଆନ୍ତର୍ଜାତୀୟ ପରିସ୍ଥିତିକୁ ନେଇ ସୋସିଆଲ ମିଡିଆରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ନେଇ ବିଭିନ୍ନ ଦାବି ସାମ୍ନାକୁ ଆସୁଛି।
କିଛି ଖବର ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଘଟୁଥିବା ସାମରିକ ଉତ୍ତେଜନା ପରେ ବାବା ଭେଙ୍ଗାଙ୍କ ପୂର୍ବ ଭବିଷ୍ୟବାଣୀକୁ ନେଇ ଆଲୋଚନା ଜୋରଦାର ହୋଇଛି। ସେ ୨୦୨୬ ମସିହାରେ ପୂର୍ବ ଅଞ୍ଚଳରେ ବଡ଼ ପରିସରର ଯୁଦ୍ଧ ସମ୍ଭାବନା ବ୍ୟକ୍ତ କରିଥିବା କୁହାଯାଏ, ଯାହା ପରେ ବିଶ୍ୱର ଅନେକ ଦେଶ ପ୍ରଭାବିତ ହେବାର ଆଶଙ୍କା ଥିଲା।
ଭବିଷ୍ୟବାଣୀ ଅନୁସାରେ, ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ଏକ ଗୁରୁତର ସଂଘର୍ଷ ଆରମ୍ଭ ହୋଇ ବିଶ୍ୱ ଶକ୍ତିମାନ ଦେଶମାନେ ପରସ୍ପର ସମ୍ମୁଖୀନ ହୋଇପାରନ୍ତି। ବିଶେଷକରି ୟୁରୋପୀୟ ଅଞ୍ଚଳ ଏହାର ସର୍ବାଧିକ ପ୍ରଭାବ ବହନ କରିପାରେ ବୋଲି ଦାବି କରାଯାଇଛି। ଏହା ସହ ଭବିଷ୍ୟତରେ ରୁଷ ଏକ ପ୍ରମୁଖ ବିଶ୍ୱଶକ୍ତି ଭାବେ ଉଭା ହେବ ବୋଲି ମଧ୍ୟ ସେ କହିଥିବା ଉଲ୍ଲେଖ ମିଳେ।
ବାବା ଭେଙ୍ଗାଙ୍କ କିଛି ପୂର୍ବ ଭବିଷ୍ୟବାଣୀ ସତ୍ୟ ସାବିତ ହୋଇଥିବା ଦାବି ମଧ୍ୟ ସମୟ ସମୟରେ ଉଠିଆସିଥାଏ। ସୋଭିଏତ୍ ୟୁନିଅନର ପତନ, ଆମେରିକାର ୯/୧୧ ଆକ୍ରମଣ, ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଓ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି ଭଳି ଘଟଣାକୁ ତାଙ୍କ ଭବିଷ୍ୟବାଣୀ ସହ ସମ୍ପୃକ୍ତ କରାଯାଏ।
ତଥାପି ବିଶେଷଜ୍ଞମାନେ ଏପରି ଭବିଷ୍ୟବାଣୀକୁ ପ୍ରମାଣିତ ଐତିହାସିକ କିମ୍ବା ବୈଜ୍ଞାନିକ ଆଧାର ନଥିବା ବୋଲି କହିଥିବାବେଳେ, ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିକୁ ସତର୍କତା ସହ ଆକଳନ କରିବାକୁ ପରାମର୍ଶ ଦେଇଛନ୍ତି।





