ତେହେରାନ/ୱାସିଂଟନ/ତେଲ୍‌ଅଭିଭ୍: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରୂପ ନେଇଛି। ପ୍ରତିଶୋଧ ନେବାକୁ ଇରାନ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିବାବେଳେ ଅଞ୍ଚଳରେ ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି। ଗତ ତିନି ଦିନ ଧରି ଚାଲିଥିବା ସଂଘର୍ଷରେ ଇରାନରେ ୫୫୫ ଜଣଙ୍କ ମୃତ୍ୟୁ ଓ ୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଇରାନର ଇସ୍ଲାମିକ୍‌ ରିଭଲ୍ୟୁସନାରି ଗାର୍ଡ କର୍ପସ (IRGC) ଦାବି କରିଛି ଯେ, ପ୍ରତିଶୋଧ ସ୍ୱରୂପ ଇସ୍ରାଏଲର ତେଲ୍‌ଅଭିଭ୍‌ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ସମେତ ଅନେକ ସାମରିକ ଓ ସରକାରୀ କେନ୍ଦ୍ରକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ହାଇଫା ଏବଂ ପୂର୍ବ ଜେରୁଜେଲମ୍‌ର କିଛି ସୁରକ୍ଷା ସଂସ୍ଥାକୁ ମଧ୍ୟ ଟାର୍ଗେଟ କରାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) କହିଛି ଯେ, ଇରାନ ପକ୍ଷରୁ ନିକ୍ଷେପ ହୋଇଥିବା ଅନେକ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ଧ୍ୱଂସ କରାଯାଇଛି। ପ୍ରତିଆକ୍ରମଣ ସ୍ୱରୂପ ଇସ୍ରାଏଲ ତେହେରାନର କିଛି ସାମରିକ ଓ ପ୍ରଶାସନିକ ସ୍ଥାନରେ ଆକ୍ରମଣ କରିଥିବା ଖବର ମିଳିଛି। ଦକ୍ଷିଣ ତେହେରାନର ଗାନ୍ଧୀ ହସ୍ପିଟାଲ୍‌ ନିକଟରେ ଆକ୍ରମଣ ପରେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଭିଡିଓ ସାମ୍ନାକୁ ଆସିଛି, ଯଦିଓ ମୃତାହତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ।

ଏହି ସଂଘର୍ଷ ଲେବାନନ୍‌ ପର୍ଯ୍ୟନ୍ତ ବିସ୍ତାର ହୋଇଛି। ଇରାନ ସମର୍ଥିତ ହେଜବୁଲ୍ଲା ଲେବାନନ୍‌ରୁ ଇସ୍ରାଏଲ ଉପରେ ରକେଟ୍‌ ଓ ଡ୍ରୋନ୍‌ ଆକ୍ରମଣ କରିଥିବାବେଳେ, ପ୍ରତିଆକ୍ରମଣରେ ଇସ୍ରାଏଲ ବେରୁତ୍‌ ଓ ଦକ୍ଷିଣ ଲେବାନନ୍‌ରେ ବାୟୁ ଆକ୍ରମଣ କରିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଇରାନ ସ୍ପଷ୍ଟ କରିଛି ଯେ, ଆମେରିକା ସହ କୌଣସି ପ୍ରକାର ଆଲୋଚନା କିମ୍ବା ବୁଝାମଣା ହେବନାହିଁ। ଯଦିଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲୋଚନା ପାଇଁ ସଙ୍କେତ ଦେଇଥିଲେ, ତେହେରାନ ସେହି ପ୍ରସ୍ତାବକୁ ଅସ୍ୱୀକାର କରିଛି।

ଏହି ଯୁଦ୍ଧର ପ୍ରଭାବ ବିଶ୍ୱ ଉର୍ଜା ବଜାରରେ ମଧ୍ୟ ପଡ଼ିଛି। ସାଉଦି ଆରବର ରାସ୍‌ ତନୁରା ତୈଳ ଶୋଧନାଗାର ଉପରେ ଡ୍ରୋନ୍‌ ଆକ୍ରମଣ ପରେ କାର୍ଯ୍ୟ ଅସ୍ଥାୟୀ ଭାବେ ବନ୍ଦ ରହିଛି। ଓମାନ ଉପକୂଳରେ ଏକ ତୈଳ ଟ୍ୟାଙ୍କର୍‌ରେ ଆକ୍ରମଣ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି।

ଏପରିକି ଇରାନ ବିରୋଧୀ ସାମରିକ ଅଭିଯାନ ସମୟରେ ଯୋଗଦେଇଥିବା ତିନୋଟି ଆମେରିକୀୟ ଏଫ୍‌-୧୫ ଯୁଦ୍ଧ ବିମାନକୁ କୁଏତୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଖସାଇଦେଇଥିବା ସୂଚନା ମିଳିଛି। ତେବେ ବିମାନରେ ଥିବା ୬ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବାହାରିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ ସ୍ପଷ୍ଟ କରିଛି।

ମଧ୍ୟପ୍ରାଚ୍ୟର ଏହି ସଂଘର୍ଷ ବିଶ୍ୱ ସୁରକ୍ଷା ପରିସ୍ଥିତିକୁ ଗୁରୁତର ଚିନ୍ତାରେ ପକାଇଦେଇଛି।