ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ନାବିକ ଥିବା ଏକ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, Khorr Al Zubair Port ନିକଟରେ ଲଙ୍ଗରିଂ କରୁଥିବା ସମୟରେ ବାହାମାସ ପତାକା ବହନ କରୁଥିବା ଏକ ଅଶୋଧିତ ତେଲ ଟ୍ୟାଙ୍କରକୁ ରିମୋଟ୍ କଣ୍ଟ୍ରୋଲ୍ ଡଙ୍ଗା ମାଧ୍ୟମରେ ଟାର୍ଗେଟ କରାଯାଇଥିଲା।

ଭାରତର ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, “ସୋନାଙ୍ଗୋଲ୍ ନାମିବେ” ନାମକ ଏହି ଟ୍ୟାଙ୍କରରେ ୧୦ ଜଣ ଭାରତୀୟ ନାବିକ ଥିଲେ। ତଥାପି ଏହି ଆକ୍ରମଣରେ କାହାର ମୃତ୍ୟୁ କିମ୍ବା ଆହତ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

କୁଏତ ବନ୍ଦର ଅଞ୍ଚଳ ନିକଟରେ ଏକ ବଡ଼ ବିସ୍ଫୋରଣ ପରେ ଲଙ୍ଗରରେ ଥିବା ଅନ୍ୟ ଏକ ଟ୍ୟାଙ୍କରରେ ପାଣି ପ୍ରବେଶ କରିବା ସହ ତେଲ ଝରି ପଡ଼ିଥିବା ଖବର ମଧ୍ୟ ମିଳିଛି। IranIsrael ସହିତ United States ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଏପର୍ଯ୍ୟନ୍ତ ୯ଟି ତୈଳ ପରିବହନକାରୀ ଜାହାଜ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ ଜାହାଜରେ ଭାରତୀୟ ନାବିକ ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, Persian Gulf ଅଞ୍ଚଳରେ ଭାରତୀୟ ପତାକା ବହନ କରୁଥିବା ୩୬ଟି ଜାହାଜ ଓ Gulf of Aden ଅଞ୍ଚଳରେ ଆଉ ୩ଟି ଜାହାଜ ରହିଛି। ତେବେ ଭାରତୀୟ ପତାକା ବହନ କରୁଥିବା କୌଣସି ଜାହାଜକୁ ଅଟକାଇବା କିମ୍ବା ଆକ୍ରମଣ ହେବା ନେଇ ଏପର୍ଯ୍ୟନ୍ତ ରିପୋର୍ଟ ହୋଇନାହିଁ।

ଜାହାଜ ଟ୍ରାକିଂ ପ୍ଲାଟଫର୍ମ MarineTraffic ର ତଥ୍ୟ ଆଧାରରେ ରଏଟର୍ସର ଆକଳନ ଅନୁଯାୟୀ, ତେଲ ଓ ତରଳ ପ୍ରାକୃତିକ ଗ୍ୟାସ ଟ୍ୟାଙ୍କର ସହ ପ୍ରାୟ ୨୦୦ଟି ଜାହାଜ ଖୋଲା ସମୁଦ୍ରରେ ଲଙ୍ଗର ଲଗାଇ ରହିଛି ଏବଂ ଅନେକ ଜାହାଜ Strait of Hormuz ବାହାରେ ଅଟକି ରହିଛି।

ଏହି ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତି Donald Trump ଜାହାଜ ଚଳାଚଳ ପୁନଃଆରମ୍ଭ କରିବା ଓ ଶକ୍ତି ମୂଲ୍ୟ କମାଇବା ପାଇଁ ଆମେରିକୀୟ ନୌସେନା ଏସ୍କର୍ଟ ଏବଂ ବୀମା ସହାୟତା ପ୍ରଦାନ କରିବାକୁ କହିଛନ୍ତି।

ଏପରି ସମୟରେ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଫସିଥିବା ପ୍ରାୟ ୨୩ ହଜାର ଭାରତୀୟ ନାବିକଙ୍କ ସୁରକ୍ଷା ପାଇଁ ନାବିକ ସଂଘ ଓ ଜାହାଜ ଶିଳ୍ପ ଭାରତ ସରକାରଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏନେଇ ମୁମ୍ବାଇରେ ଜାହାଜ ଚଳାଚଳ ମହାନିର୍ଦ୍ଦେଶକ Shyam Jagannathanଙ୍କ ସହ ସଂଘଗୁଡ଼ିକର ଏକ ବୈଠକ ମଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୩ ଜଣ ଭାରତୀୟ ନାବିକ ପ୍ରାଣ ହରାଇଥିବା ଖବର ମିଳିଛି।