ବସ୍ତର: ନକ୍ସଲ ମୁଳପୋଛ ଅଭିଯାନ ତୀବ୍ର ହେଉଥିବା ସହିତ ଜଙ୍ଗଲରେ ସକ୍ରିୟ ମାଓବାଦୀମାନେ ଧୀରେଧୀରେ ମୁଖ୍ୟସ୍ରୋତକୁ ଫେରୁଛନ୍ତି। ଏହି ପରିପ୍ରେକ୍ଷିତରେ Bastarର ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ‘ପୁନର୍ବାସରୁ ପୁନର୍ଜୀବିତ’ କାର୍ଯ୍ୟକ୍ରମରେ CPI (Maoist)ର ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ସହ ସଂପୃକ୍ତ ୧୦୮ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୪୪ ଜଣ ମହିଳା ରହିଛନ୍ତି। ସେମାନଙ୍କ ନାମରେ ସମୁଦାୟ ୩ କୋଟି ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା।
ଏହା ସହିତ ସୁରକ୍ଷାବାହିନୀଙ୍କ ଦ୍ୱାରା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ମାଓ ଡମ୍ପରୁ ୧୦୧ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏଥିରେ ୭ଟି AK-47 ବନ୍ଦୁକ, ୧୧ଟି INSAS ରାଇଫଲ, ୬ଟି SLR, ୨୦ଟି .303 ବନ୍ଦୁକ, ୨୫ଟି 12-ବୋର ରାଇଫଲ, ୫ଟି .315 ବୋର ରାଇଫଲ ଓ BGL ଲଞ୍ଚର ସମେତ ମୋଟ ୧୦୧ଟି ଅସ୍ତ୍ର ରହିଛି।
ସେହି ଡମ୍ପରୁ ପ୍ରଥମଥର ପାଇଁ ୩ କୋଟି ୬୧ ଲକ୍ଷ ଟଙ୍କା ନଗଦ ଓ ପ୍ରାୟ ୧ କିଲୋ ସୁନା ମଧ୍ୟ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୧ କୋଟି ୬୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର DVCM ସଦସ୍ୟ ରାହୁଲ ତେଲାମ, ପାଣ୍ଡରୁ କାବାସି, ଜିତରୁ ଓୟାମ ଓ ପୂର୍ବ Bastar ଡିଭିଜନର ରାମଧର ଆଦି ଛାମୁଆ ନେତା ମଧ୍ୟ ସାମିଲ ଅଛନ୍ତି।
ଏହି ଦଳରେ ୫ ଜଣ DVCM, ଜଣେ କମ୍ପାନୀ କମାଣ୍ଡର, ୧୫ ଜଣ ପ୍ଲାଟୁନ ପାର୍ଟି କମିଟି ସଦସ୍ୟ, ୨୧ ଜଣ ଏରିଆ କମିଟି ସଦସ୍ୟ ଓ ୬୩ ଜଣ ସାଧାରଣ ପାର୍ଟି ସଦସ୍ୟ ରହିଛନ୍ତି। ଆତ୍ମସମର୍ପଣ କରିଥିବା ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି।
ପୁଲିସ ସୂଚନା ଅନୁସାରେ, ଗତ ୨୬ ମାସ ମଧ୍ୟରେ Chhattisgarhରେ ମୋଟ ୨୭୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ୨୦୨୪ ଠାରୁ ଏପର୍ଯ୍ୟନ୍ତ ୨୬୨୫ ଜଣ ମାଓବାଦୀଙ୍କୁ ପୁନର୍ବାସ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯାଇଛି।
ପୁଲିସ କହିଛି, ମାର୍ଚ୍ଚ ୩୧ ପୂର୍ବରୁ ଜଙ୍ଗଲରେ ଥିବା ଅନ୍ୟ ମାଓବାଦୀମାନେ ମଧ୍ୟ ମୁଖ୍ୟସ୍ରୋତକୁ ଫେରିବେ ବୋଲି ଆଶା କରାଯାଉଛି।




