ଭୁବନେଶ୍ୱର: ପିଏମ୍-କିଷାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଅନୁସାରେ ଓଡିଶାର ୩୪ ଲକ୍ଷରୁ ଅଧିକ କୃଷକଙ୍କୁ ମୋଟ ୬୮୪ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି। ଆସାମର ଗୌହାଟୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଭାବେ ଏହି କିସ୍ତିର ଅନୁଦାନ ଜାରି କରିଥିଲେ।

ଦେଶର ପ୍ରାୟ ୯.୩୨ କୋଟି କୃଷକଙ୍କୁ ଏହି ଅବସରରେ ପ୍ରାୟ ୧୯ ହଜାର କୋଟି ଟଙ୍କା ଦିଆଯାଇଛି। ଏହା ସହିତ ଦେଶର ସମସ୍ତ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡି ସ୍ତରରେ ‘ପିଏମ୍-କିଷାନ ଉତ୍ସବ ଦିବସ’ ପାଳନ କରାଯାଇଛି।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ହୋଇଥିଲା। ଏଠାରେ ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଚାଷୀମାନେ ସମାଜର ମେରୁଦଣ୍ଡ ଏବଂ ଦେଶର ଅର୍ଥନୀତିର ପ୍ରକୃତ ସାରଥି। ଚାଷୀଙ୍କ ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ସମ୍ଭବ ନୁହେଁ।

ସେ କହିଥିଲେ ଯେ, ପିଏମ୍-କିଷାନ ଯୋଜନା ମାଧ୍ୟମରେ ମିଳୁଥିବା ପ୍ରତି କିସ୍ତି ୨୦୦୦ ଟଙ୍କା ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି। ବର୍ଷକୁ ତିନୋଟି କିସ୍ତି ମାଧ୍ୟମରେ ମୋଟ ୬ ହଜାର ଟଙ୍କା ସହାୟତା ମିଳୁଥିବା ଏହି ଯୋଜନା କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କ ପାଇଁ ବଡ଼ ସମ୍ମାନ ବୋଲି ସେ ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଆହ୍ୱାନ କରି କହିଥିଲେ ଯେ, ପିଏମ୍-କିଷାନ ଯୋଜନାର ଲାଭ ପାଇବା ପାଇଁ e-KYC, ଜମି ବିବରଣୀ, ଆଧାର-ବ୍ୟାଙ୍କ ଖାତା ଲିଙ୍କ୍ ଓ ନାମ ସଂଶୋଧନ ଭଳି ସମସ୍ତ ଆବଶ୍ୟକ ତଥ୍ୟ ସମ୍ପୂର୍ଣ୍ଣ କରିବା ଦରକାର।

ସେହିପରି ରାଜ୍ୟ ସରକାରଙ୍କ “ସିଏମ୍ କିଷାନ” ଯୋଜନାରେ ମଧ୍ୟ ଚାଷୀମାନଙ୍କୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ସହାୟତା ଦିଆଯାଉଛି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷ ୫୪ ହଜାରରୁ ଅଧିକ ହିତାଧିକାରୀଙ୍କୁ ୨୯୯୧ କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇଛି।

ଏହାସହ ଚାଷୀ ପରିବାରର ପିଲାମାନଙ୍କ ପାଇଁ “କୃଷି ବିଦ୍ୟାନିଧି” ଯୋଜନାରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି, ନର୍ସିଂ, ଡିପ୍ଲୋମା ଓ ଆଇଟିଆଇ ଭଳି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଛାତ୍ରବୃତ୍ତି ଦିଆଯାଉଛି। ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ପାଇଥିବାବେଳେ, ୨୦୨୫-୨୬ ପାଇଁ ୬୮ ହଜାର ୯୧୫ ଜଣ ଆବେଦନ କରିଛନ୍ତି। ଏହା ପାଇଁ ପ୍ରାୟ ୨୯୦ କୋଟି ଟଙ୍କା ବ୍ୟୟ ହେବାକୁ ଥିବା ଜଣାପଡ଼ିଛି।

ଏହି ପଦକ୍ଷେପ ମାଧ୍ୟମରେ କୃଷକମାନଙ୍କ ଆର୍ଥିକ ସୁଦୃଢତା ସହ ତାଙ୍କ ପରିବାରର ଶିକ୍ଷାଗତ ଉନ୍ନତିକୁ ମଧ୍ୟ ସୁନିଶ୍ଚିତ କରାଯାଉଛି।