ତେହେରାନ: ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲୁଥିବା ସଂଘର୍ଷ ଚତୁର୍ଥ ସପ୍ତାହକୁ ପହଞ୍ଚିଥିବାବେଳେ ପରିସ୍ଥିତି ଦିନକୁ ଦିନ ଗୁରୁତର ହେଉଛି। ଏହି ପରିପ୍ରେକ୍ଷିତରେ ଇରାନ ‘ଡାର୍ଟି ବମ୍’ ପରି ତେଜସ୍କ୍ରିୟ ଅସ୍ତ୍ର ବ୍ୟବହାର କରିପାରେ କି ନାହିଁ ବୋଲି ଆଶଙ୍କା ବଢ଼ିଛି। ଯୁଦ୍ଧରେ ରଣନୀତିକ ଚାପ ମଧ୍ୟରେ ଥିବା ଇରାନ ଏହି ପ୍ରକାର ଅସ୍ତ୍ରକୁ ଶେଷ ଅସ୍ତ୍ର ଭାବେ ବ୍ୟବହାର କରିପାରେ ବୋଲି ସାମରିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।

ଡାର୍ଟି ବମ୍ ହେଉଛି ଏକ ପ୍ରକାର ତେଜସ୍କ୍ରିୟ ବିକିରଣ ଉପକରଣ, ଯେଉଁଥିରେ ପାରମ୍ପରିକ ବିସ୍ଫୋରକ ସହିତ ତେଜସ୍କ୍ରିୟ ପଦାର୍ଥ ମିଶାଯାଇଥାଏ। ବିସ୍ଫୋରଣ ପରେ ଏହା ଆସପାସ ଅଞ୍ଚଳକୁ ଦୂଷିତ କରି ଦୀର୍ଘକାଳୀନ ପରିବେଶୀୟ ଓ ସ୍ୱାସ୍ଥ୍ୟଜନିତ କ୍ଷତି ସୃଷ୍ଟି କରେ। ଆଣବିକ ବମ୍‌ ତୁଳନାରେ ଏହା ତୁରନ୍ତ ଧ୍ଵଂସ କମ୍ କରିଥାଏ, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୟଙ୍କର ପ୍ରଭାବ ପକାଇପାରେ।

ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ପ୍ରକାର ଅସ୍ତ୍ର ଦ୍ୱାରା କୃଷି ଜମି ଓ ଜଳ ଉତ୍ସ ଦୂଷିତ ହୋଇପାରେ। ଏହା ସହିତ ଲୋକମାନଙ୍କ ମଧ୍ୟରେ କର୍କଟ, ଲ୍ୟୁକେମିଆ ଓ ଆକ୍ୟୁଟ୍ ରେଡିଏସନ ସିଣ୍ଡ୍ରୋମ୍ (ARS) ପରି ଗୁରୁତର ରୋଗର ଆଶଙ୍କା ବଢ଼ିଯାଏ। ଏହି ରୋଗ ଶରୀରର ଅନେକ ଅଂଗକୁ ପ୍ରଭାବିତ କରି ଗୁରୁତର ସ୍ଥିତି ସୃଷ୍ଟି କରିପାରେ।

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଅନୁଯାୟୀ, ଇରାନ ପାଖରେ ଉଚ୍ଚ ସମୃଦ୍ଧ ୟୁରାନିୟମ୍ ମଜୁତ ରହିଛି, ଯାହା ଡାର୍ଟି ବମ୍ ତିଆରି ପାଇଁ ପ୍ରୟାପ୍ତ ହୋଇପାରେ। ତେବେ ଏପର୍ଯ୍ୟନ୍ତ ଇରାନ ଏହି ପ୍ରକାର ଅସ୍ତ୍ର ବ୍ୟବହାର କରିନାହିଁ, କାରଣ ଏହା ବ୍ୟାପକ ଆନ୍ତର୍ଜାତୀୟ ପ୍ରତିକ୍ରିୟା ଓ ଭୟଙ୍କର ପ୍ରତିଶୋଧକୁ ଆମନ୍ତ୍ରଣ କରିପାରେ।

ତଥାପି ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ଅନିଶ୍ଚିତତା ଅଧିକ ରହିଥିବାରୁ, ଇରାନ ଏହି ପଦକ୍ଷେପ ନେବ କି ନାହିଁ ସେଥିପାଇଁ ବିଶ୍ୱ ଚିନ୍ତିତ ରହିଛି।