ଭୁବନେଶ୍ୱର: ଓଡ଼ିଶାର ଖଣି ଖାତରେ ବଡ଼ ପଦକ୍ଷେପ ନେବାକୁ ରାଜ୍ୟ ସରକାର ପ୍ରସ୍ତୁତି ନେଇଛନ୍ତି। ଆଗାମୀ ଦିନରେ ରାଜ୍ୟର ୩୪ଟି ଖଣିକୁ ନିଲାମ କରାଯିବ ବୋଲି ସୂଚନା ମିଳିଛି। ଏହି ନିଲାମ ପ୍ରକ୍ରିୟାରେ ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ, ଚୂନପଥର, ତମ୍ବା, ସୁନା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ କ୍ରିଟିକାଲ୍‌ ଖଣିଜ ପଦାର୍ଥ ଅନ୍ତର୍ଭୁକ୍ତ ରହିବ।

ଏହି ଖଣିଗୁଡ଼ିକ ମାଲକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ବିସ୍ତାରିତ ଅଛି। ରାଜ୍ୟ ସରକାର ୨୫ଟି ଖଣି ଓ କେନ୍ଦ୍ର ସରକାର ୯ଟି ଖଣିକୁ ନିଲାମ କରିବେ।

ଖଣି ଓ ଖଣିଜ (ବିକାଶ ଓ ନିୟମନ) ଆଇନ ୨୦୧୫ ଅନୁଯାୟୀ, ଏହି ଖଣିଗୁଡ଼ିକୁ ୫୦ ବର୍ଷିଆ ଲିଜ ଅବଧି ସହ ନିଲାମ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ଓ ୯ଟି କ୍ରିଟିକାଲ୍‌ ମିନେରାଲ୍‌ ଖଣି ରହିଛି।

ଏହା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୁନା, ହୀରା ଓ ମାଣିକ ଭଳି ମୂଲ୍ୟବାନ ଖଣିଜ ମିଳିଥିବା ସୂଚନା ମଧ୍ୟ ମିଳିଛି। ମୟୂରଭଞ୍ଜର ମଦନସାହି-କାଞ୍ଜିଆ ଓ କେନ୍ଦୁଝରର ଜଳଡିହ ସୁନା ଖଣି ସହ ଦେବଗଡ଼ର ଅଡସ-ରାମପଲ୍ଲୀ ଖଣିକୁ ନିଲାମ ପାଇଁ ଯୋଜନା ହୋଇଛି।

ଏହା ସହ ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗୀରରେ ଗ୍ରାଫାଇଟ୍‌, ବଲାଙ୍ଗୀରରେ ଭାନାଡିୟମ୍‌ ଏବଂ ମାଲକାନଗିରିରେ ଟିଣ ଖଣି ମଧ୍ୟ ନିଲାମ ତାଲିକାରେ ରହିଛି। ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଏହି ଖଣିଗୁଡ଼ିକୁ ଠାବ କରି ଅନୁସନ୍ଧାନ କରିଛନ୍ତି।

ଉଲ୍ଲେଖନୀୟ, ୨୦୨୩ ପରେ ରାଜ୍ୟରେ ବଡ଼ ପରିମାଣରେ ଖଣି ନିଲାମ ହୋଇନଥିବା ବେଳେ ବର୍ତ୍ତମାନ ସରକାର ଏହାକୁ ତେଜ କରିବାକୁ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ୩୦ଟି ଖଣି ପ୍ରସ୍ତୁତ ହୋଇଥିଲା, ଯାହାମଧ୍ୟରୁ ୮ଟି ନିଲାମ ସମ୍ପନ୍ନ ହୋଇଥିବା ବେଳେ ଅନ୍ୟଗୁଡ଼ିକ ପ୍ରକ୍ରିୟାଧୀନ ଅଛି।