ମୁମ୍ବାଇ: ସୋମବାର ବିଶ୍ୱ ଷ୍ଟକ୍ ବଜାରରେ ଭୟାବହ ପତନ ଦେଖିବାକୁ ମିଳିଛି। ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ସ୍ପଷ୍ଟ ହୋଇଥିବା ବେଳେ ବିଏସଇ ସେନସେକ୍ସ ୧୨୮୧ ପଏଣ୍ଟ ହ୍ରାସ ପାଇ ୭୩,୨୫୪ରେ ପହଞ୍ଚିଛି। ସେହିପରି ଏନଏସଇ ନିଫ୍ଟି ୫୦ ମଧ୍ୟ ପ୍ରାୟ ୪୦୦ ପଏଣ୍ଟ ଖସି ୨୨,୭୧୪ରେ ଅବସ୍ଥାନ କରିଛି।

ବଜାର ଆରମ୍ଭରୁ ହିଁ ଦୁର୍ବଳ ଥିଲା। ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ସହ ୭୩,୭୩୨ରେ ଖୋଲିଥିବା ବେଳେ ନିଫ୍ଟି ୨୯୦ ପଏଣ୍ଟ କମି ୨୨,୮୨୪ରେ ଆରମ୍ଭ ହୋଇଥିଲା। ବଜାରରେ ଭାରି ବିକ୍ରୟ ଚାପ ଦେଖାଯାଇଥିଲା, ଯାହା ଫଳରେ ଏନଏସଇରେ ଅଧିକାଂଶ ସେୟାର ଲାଲ ଚିହ୍ନରେ ବ୍ୟବସାୟ କରୁଥିଲା।

ଏହା ସହିତ ମୁଦ୍ରା ବଜାରରେ ମଧ୍ୟ ଅସ୍ଥିରତା ଦେଖାଯାଇଛି। ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଇତିହାସର ସର୍ବନିମ୍ନ ସ୍ତର ୯୩.୮୪କୁ ପହଞ୍ଚିଛି। ମଧ୍ୟପ୍ରାଚ୍ୟରେ ଚାଲୁଥିବା ତଣାପୋଡ଼ ଓ ବିଶ୍ୱ ଅନିଶ୍ଚିତତା ଏହାର ପ୍ରମୁଖ କାରଣ ବୋଲି ବିଶ୍ଳେଷକମାନେ କହୁଛନ୍ତି।

ବିଶ୍ୱ ବଜାରରେ ମଧ୍ୟ ସମାନ ପରିସ୍ଥିତି ରହିଛି। ଜାପାନର ନିକ୍କେଇ ସୂଚକାଙ୍କ ୪.୧୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ଦକ୍ଷିଣ କୋରିଆର କୋସ୍ପି ପ୍ରାୟ ୫ ପ୍ରତିଶତ କମିଛି। ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ମଧ୍ୟ ୩ ପ୍ରତିଶତ ହ୍ରାସ ପାଇଛି।

ୟୁରୋପୀୟ ବଜାରରେ ମଧ୍ୟ ଚାପ ଦେଖାଯାଇଛି। ଡିଏକ୍ସ, ସିଏସି ଓ ଏଫ୍‌ଟିଏସଇ-୧୦୦ ଭଳି ପ୍ରମୁଖ ସୂଚକାଙ୍କ ହ୍ରାସ ପାଇଛି। ବିଶ୍ୱ ବଜାରର ଏହି ନକାରାତ୍ମକ ପରିସ୍ଥିତିର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ୁଛି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଚାଲୁଥିବା ଭୌଗୋଳିକ ତଣାପୋଡ଼, ବିଶ୍ୱ ଅର୍ଥନୀତିର ଅନିଶ୍ଚିତତା ଓ ବିଦେଶୀ ବଜାରର ନକାରାତ୍ମକ ସଙ୍କେତ ନିବେଶକମାନଙ୍କ ଭୟ ବଢ଼ାଇଛି, ଯାହା ଫଳରେ ବଜାରରେ ଏହି ପତନ ଦେଖାଯାଇଛି।